ଲିଙ୍ଗରାଜ ମନ୍ଦିର ନିକଟରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

1 min read

ଭୁବନେଶ୍ବର: ନାଁ ନନେଇ ଭୁବନେଶ୍ବର ସାଂସଦଙ୍କୁ ନିଶାଣ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଲୋକଙ୍କ ଆଶୀର୍ବାଦରେ ସାଂସଦ ହେଲେ । କେନ୍ଦ୍ରରୁ ୩ଶହ କୋଟି ଆଣି ଆଇଟି ପାର୍କ କରି ରୋଜଗାର ଦେବେ ବୋଲି କହିଲେ । ହେଲେ ଭୁବନେଶ୍ୱର ସାଂସଦ କର୍ପୋରେଟର ଓ ସରପଞ୍ଚଙ୍କ କାମରେ ମୁଣ୍ଡ ପୂରାଇଲେ ।

ଏମିତି ସାଂସଦ ଆଉ ଦରକାର ନାହିଁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ଯକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଆଜି ଭୁବନେଶ୍ବର ଏକାମ୍ର ପାଇଁ ପ୍ରଚାର କରି ଲିଙ୍ଗରାଜ ମନ୍ଦିର ଆଗରୁ ଏପରି ସମାଲୋଚନା କରିଛନ୍ତି ପାଣ୍ଡିଆନ । ୧୪ ଜାଗା ବୁଲି ଆସିବାରୁ ବିଳମ୍ବ ହେଲା ବୋଲି ପ୍ରଥମେ କ୍ଷମା ମାଗିଥିଲେ ପାଣ୍ଡିଆନ ।

ଲିଙ୍ଗରାଜ ମନ୍ଦିର ଆଗରେ କେବେ ଭାଷଣ ରଖିବେ ବୋଲି ଭାବିନଥିଲେ ବୋଲି କହିବା ସହ ଭୁବନେଶ୍ବର ସାଂସଦଙ୍କ କାମକୁ ସମାଲୋଚନା କରିଥିଲେ । ଏକାମ୍ର ପାଇଁ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଭଲ କାମ କରୁଛନ୍ତି ତାଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଥିଲେ । ଏହାସହ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ମଧ୍ଯ ଆଶୀର୍ବାଦ କରିବାକୁ ପାଣ୍ଡିଆନ ନିବେଦନ କରିଥିଲେ । ଏହି ଅଞ୍ଚଳ ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ କାମ କରିଛନ୍ତି ।

ଏକାମ୍ର ପ୍ରକଳ୍ପ କିପରି ରୂପ ନେଲା ସେ ନେଇ ଲୋକଙ୍କୁ କହିଥିଲେ ପାଣ୍ଡିଆନ । ଲିଙ୍ଗରାଜ ମନ୍ଦିରକୁ ହଜାର ହଜାର ଲୋକ ଆସୁଛନ୍ତି । ହେଲେ ଠିଆ ହେବାକୁ ଜାଗା ନଥିଲା । ତାପରେ ଅଶୋକ ବାବୁଙ୍କ ସହ କଥା ହୋଇ ଏକାମ୍ର ପ୍ରକଳ୍ପ ଆରମ୍ଭ ହେଲା । ପ୍ରକଳ୍ପ ଲାଗି ଯିଏ ସହଯୋଗ କରିଛନ୍ତି, ଘର ହୋଟେଲ ଦାନ କରିଛନ୍ତି, ତାଙ୍କୁ ଇତିହାସ ମନେ ରଖିବ ।

ଏହି କାମ ବନ୍ଦ କରିବାକୁ ଭୁବନେଶ୍ୱର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ବହୁ ଚେଷ୍ଟା କଲେ । ହେଲେ ବନ୍ଦ କରି ପାରିଲେ ନାହିଁ । ହେଲେ ବିଳମ୍ବ କରାଇଦେଲେ । ପୁରୀ କାମ ଆଗ ହେଲା । ଜମି ଅଧିଗ୍ରହଣ କାମ ବିଳମ୍ବ ହେଲା । ଏଠି କାମ ଭଲ ହେଉଛି ବୋଲି କହିଛନ୍ତି ପାଣ୍ଡିଆନ । ଏକାମ୍ର ରାଜାମହାରାଜାଙ୍କ ସମୟରେ ଯେମିତି ଥିଲା, ମୁଖ୍ୟମନ୍ତ୍ରୀ ସେମିତି ରୂପାନ୍ତର କରିଛନ୍ତି । ଏହି ମନ୍ଦିର ହଜାର ହଜାର ବର୍ଷ ରହିବ । ଦୋକାନ, ହୋଟେଲ ଵି ଥଇଥାନ ହୋଇଛି । ହଜାର ହଜାର ପର୍ଯ୍ୟଟକ ଆସିବେ ରୋଜଗାର ବଢିବ । ଜୀବନ ଧାରାରେ ସକାରାତ୍ମକ ପ୍ରଭାବ ପଡିବ ।