ନାଁ ନନେଇ ପୁଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍, ପଟ୍ଟାଙ୍ଗୀରୁ ପ୍ରଚାର ଆରମ୍ଭ କଲେ

1 min read

କୋରାପୁଟ: ପଟ୍ଟାଙ୍ଗୀରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିଜେଡି ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକା ଓ ପଟାଙ୍ଗୀ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀଙ୍କ ପାଇଁ ଯୋଡ଼ି ଶଙ୍ଖରେ ଆଶୀର୍ବାଦ କରିବାକୁ ପଟାଙ୍ଗୀବାସୀଙ୍କୁ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି । ପଟାଙ୍ଗୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ନିର୍ବାଚନୀ ସଭାରୁ ନାଁ ନନେଇ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ବାରମ୍ବାର ବିଏସକେୱାଇକୁ ଅଯଥା ସମାଲୋଚନା କରୁଛନ୍ତି । ହେଲେ ଏହା ଏକ ଯୁଗାନ୍ତକାରୀ ଯୋଜନା ଓ ଗରିବ ଲୋକଙ୍କୁ ବଡବଡ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇବାର ସାହସ ଦେଇଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।

ପଟାଙ୍ଗୀରେ ଦେଓମାଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୨୨ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ସେହିଭଳି ରାଣୀ ଡୁମୁଡୁମା ଜଳପ୍ରପାତ ଓ ନାଗେଶ୍ବରୀ ଗୁମ୍ଫାର ରୂପାନ୍ତରଣ ପାଇଁ ୩ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ମାଆ ଗଙ୍ଗେଶ୍ବରୀ ମନ୍ଦିର ପାଇଁ ମଧ୍ୟ ୩ କୋଟି ଟଙ୍କା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଆଦିବାସୀ ଜନଜାତିଙ୍କ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ପଡ଼ୋଶୀ ରାଜ୍ଯ ଛତିଶଗଡ଼, ଝାଢଖଣ୍ଡ କିମ୍ବା ଆନ୍ଧ୍ର ପ୍ରଦେଶରେ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା ହୋଇନି । ୨୫ କୋଟି ୬୦ ଲକ୍ଷ ଟଙ୍କାରେ ପଟଙ୍ଗୀରେ ୫୦ରୁ ଅଧିକ ହାଇସ୍କୁଲର ରୂପାନ୍ତରଣ ହୋଇଛି ।

କୋରାପୁଟର ୩ ହଜାର ୭୦୦ ଏସଏଚଜି ସଦସ୍ଯା ବିନା ସୁଧରେ ଋଣ ପାଇଛନ୍ତି । ୧୫ ହଜାର ଗର୍ଭବତୀ ମହିଳା ପ୍ରସବକାଳୀନ ସହାୟତା ପାଇଛନ୍ତି । ଲକ୍ଷ୍ମୀ ଯୋଜନାରେ ଗତ ୪ ମାସରେ କୋରାପୁଟର ୪ ଲକ୍ଷ ମହିଳା ଉପକୃତ ହୋଇଛନ୍ତି । ମଧୁବାବୁ ପେନସନ ଯୋଜନାରେ ଭତ୍ତା ରାଶି ହଜାରେ ଟଙ୍କାକୁ ମୁଖ୍ଯମନ୍ତ୍ରୀ ବଢ଼ାଇଛନ୍ତି । ଆଜି ମଧ୍ୟ ପ୍ରଚାର ସଭାରେ ଫାଇଭ-ଟି ଅଧ୍ୟକ୍ଷଙ୍କୁ ପଟାଙ୍ଗୀର ବହୁ ଲୋକ ଆବେଦନପତ୍ର ଦେଇଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପଟାଙ୍ଗୀବାସୀଙ୍କ ବିଶ୍ବାସର ପ୍ରତୀକ ବୋଲି ସେ କହିଛନ୍ତି । ୨୦୧୯ରେ କୋରାପୁଟ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହାରିଯାଇଥିଲେ ।

କିନ୍ତୁ ଯିଏ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ, ସେ ଏହି ଅଞ୍ଚଳ ପାଇଁ କ’ଣ କରିଛନ୍ତି ତାହା ପଟାଙ୍ଗୀବାସୀ ବିଚାର କରନ୍ତୁ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଗତଥର ଭଳି ଏଥର ମଧ୍ୟ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି । ମହିଳା ସଶକ୍ତିକରଣ ନେଇ ସବୁ ଦଳ ବହୁ ଭାଷଣ ଦେଉଛନ୍ତି । ବିଜେଡି ଛଡ଼ା ଅନ୍ୟ କୌଣସି ଦଳ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିନାହାନ୍ତି । ପଟାଙ୍ଗୀରେ ଆରମ୍ଭ ହୋଇଥିବା ବିକାଶ ଯାତ୍ରାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଯୋଡ଼ିଶଙ୍ଖରେ କୌଶଲ୍ୟା ହିକକା ଓ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ବଡ଼ ବ୍ଯବଧାନରେ ଜିତାଇବାକୁ କାର୍ତ୍ତିକ ପାଣ୍ଡିଆନ ଅପିଲ କରିଛନ୍ତି ।