ସହପାଠୀର ଘର ତିଆରି କରିବାକୁ ୮ ଲକ୍ଷ ଟଙ୍କା ଯୋଗାଡ଼ କରିଦେଲେ ଛାତ୍ରଛାତ୍ରୀ

ଥିରୁବନନ୍ତପୁରମ୍: ଘର ତିଆରି କରିବାକୁ ସ୍କୁଲ ପିଲା ଯୋଗାଡ଼ କରିଦେଲେ ୮ ଲକ୍ଷ ଟଙ୍କା । ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି? ଆଜ୍ଞା ହଁ ଏ କଥା ପୁରାପୁରି ସତ । ଏମିତି କରି ପିଲାମାନେ ସାମାଜିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । କ’ଣ ରହିଛି ପୂରା ଘଟଣା ଜାଣନ୍ତୁ ।

ଏପରି ଘଟିଛି କେରଳର ଥିରୁବନନ୍ତପୁରମରେ । ସେଠାରେ ଥିବା ସ୍କୁଲ ପିଲା ନିଜ ସହପାଠୀର ଘର ତିଆରି ପାଇଁ ୮ ଲକ୍ଷ ଟଙ୍କା ଜମା କରିଛନ୍ତି । ଆଉ ତାହା ପୁଣି ଶହେ ଦିନରେ ।

ସୂଚନା ଅନୁସାରେ, ସ୍କୁଲର ଅନସିଆ ନାମକ ଜଣେ ଛାତ୍ରୀଙ୍କ ଘରର ଅବସ୍ଥା ବହୁ ଖରାପ ଥିଲା । ତାଙ୍କର ଆର୍ଥିକ ଅବସ୍ଥା ବି ଭଲ ନ ଥିଲା । ଛାତ୍ରୀଙ୍କ ବାପାଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି । ଗୋଟିଏ ଘରେ ପୁରା ପରିବାର ଏକାଠି ରହିବା ବହୁ କଷ୍ଟ ହେଉଥିଲା । ଏତେସବୁ ଅସୁବିଧାକୁ ଦେଖି ସହପାଠୀ  ତାଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଘର ତିଆରି କରିବାକୁ ବହୁତ ଟଙ୍କା ଦରକାର ଭାବି ପିଲାମାନେ ଏକ ଉପାୟ ଚିନ୍ତା କଲେ । ଏହା ପରେ ସହପାଠୀମାନେ ପାଣ୍ଠି ସଂଗ୍ରହ କରିବା ଆରମ୍ଭ କରିଦେଲେ । ଖାଇବା ଷ୍ଟଲ୍ ପକାଇ, ସାମଗ୍ରୀ ବିକ୍ରି କରି ଏବଂ ଖବରକାଗଜରେ ବାହାରୁଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପାଣ୍ଠି ସଂଗ୍ରହ କରିବାକୁ ଲାଗିଲେ ।

ଏ ନେଇ ଜଣେ ସହପାଠୀ କହିଛନ୍ତି ଯେ, ‘ଆମେ ଶହେ ଦିନରେ ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲୁ । ଏଥିପାଇଁ ଏକ ଚାଟ୍ ପ୍ରସ୍ତୁତ କରିଥିଲୁ’ ।

ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଷା ଏ ଆର୍ କହିଛନ୍ତି ଯେ, ‘ପିଲାମାନେ ଅନସିଆଙ୍କ ଘରକୁ ଯାଇଥିଲେ । ତାଙ୍କର ଭଙ୍ଗା ଘର ଦେଖି ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମ ବିଦ୍ୟାଳୟ ପାଇଁ ଏଇଟା ସ୍ମରଣୀୟ ଦିନ ହୋଇକି ରହିବ‘ ।

ଏ ନେଇ ଅନସିଆ କୁହନ୍ତି, ‘ମୋ ବାପାଙ୍କ ଦେହାନ୍ତ ପରେ ଘରେ କେବଳ ମୁଁ ମୋ ବଡ଼ ଭଉଣୀ ଏବଂ ଜେଜେମା ଅଛନ୍ତି । ଘରର ଅବସ୍ଥା ଏତେ ଖରାପ ଥିଲା ଯେ, ଆମେ ରହିବା ସମ୍ଭବ ହେଉ ନ ଥିଲା । ସେମାନେ ମୋ ପାଇଁ ଟଙ୍କା ଯୋଗାଡ଼ କରିଥିବାରୁ ମୁଁ ଗର୍ବିତ’ ।

ଅନସିଆଙ୍କ ସହପାଠୀ କେବଳ ତାଙ୍କ ପାଇଁ କେବଳ ପାଣ୍ଠି ସଂଗ୍ରହ କରି ନଥିଲେ ଶହେ ଟି ଚାରା ରୋପଣ କରିଥିଲେ । ଅଭାବୀ ଲୋକଙ୍କୁ ଖାଦ୍ୟ ମଧ୍ୟ ବାଣ୍ଟିଥିଲେ । ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରିଥିଲେ ।