ଡିଲରଙ୍କ ନାଁରେ କୋଟା ପକାଇ କିରୋସିନି ଲୁଟୁଛନ୍ତି ଆରସିଏମଏସ ସମ୍ପାଦକ, ନନ୍ଦିଘୋଷ ଟିଭି ହାତରେ ସାଙ୍ଘାତିକ ପ୍ରମାଣ
ନନ୍ଦିଘୋଷ ବ୍ୟୁରୋ: ଫିଟୁଛି କିରୋସିନି କଳାବଜାରୀର ଗୁମର । ଉଦଳା ଆରସିଏମଏସ ସମ୍ପାଦକ ବସନ୍ତ ନାୟକ ଲୁଟୁଥିଲେ କିରୋସିନି । ଡିଲରଙ୍କ ନାଁରେ କୋଟା ପକାଇ ଦୀର୍ଘ ଦିନ ହେବ କିରୋସିନ ଲୁଟୁଥିଲେ ଖୋଦ ସଂପାଦକ । ଯାହାର ସାଙ୍ଘାତିକ ପ୍ରମାଣ ଲାଗିଛି ନନ୍ଦିଘୋଷ ଟିଭି ହାତରେ ।
ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ବାଡ଼ ଖାଉଛି କ୍ଷେତ । ଡିଲରଙ୍କ ନାଁରେ ପକାଇ କିରୋସିନ ଲୁଟୁଛନ୍ତି ଖୋଦ ସମ୍ପାଦକ । ମୟୂରଭଞ୍ଜ ଜିଲ୍ଲା ଉଦଳା ଆରସିଏମଏସର ସମ୍ପାଦକ କିରୋସିନି କଳାବଜାରୀ କରୁଥିବା ଧରାପଡିବା ପରେ ଖୋଲୁଛି ଗୁମର । ଜାଲ ଦସ୍ତାବିଜ ଓ ଡିଲରଙ୍କ ବୟାନ ଖୋଲି ଦେଇଛି ସମ୍ପାଦକଙ୍କ ଅସଲ ମୁଖା । ନିକଟରେ ସମ୍ପାଦକ ବାବୁ ଜଣଙ୍କ କିରୋସିନି କଳାବଜାରୀ କରୁଥିବା ବେଳେ ନନ୍ଦିଘୋଷ ଟିଭି କ୍ୟାମେରାରେ ଧରାପଡିଥିଲେ । ପ୍ରଥମେ ଖବର ଚାପି ଦେବାକୁ କହି ଟଙ୍କା ଯାଚିଥିଲେ । ବଞ୍ଚିବା ପାଇଁ ସେ ପାଞ୍ଚ ଜଣ ଡିଲରଙ୍କୁ କିରୋସିନି ପଠାଉଥିବା କହିଥିଲେ । ଏପରିକି ଅଫିସ ରେକର୍ଡରେ ମଧ୍ୟ ୫ ଜଣ ଡିଲରଙ୍କ ନାଁ ଲେଖି ଜାଲ ଦସ୍ତଖତ କରିଥିଲେ । ଯାହା ଅଫିସ ରେଜିଷ୍ଟରରୁ ହିଁ ସ୍ପଷ୍ଟ ହେଉଛି । ଆଉ ସେହି ୫ ଜଣଙ୍କ ଭିତରେ ଜଣେ ଡିଲର ହେଉଛନ୍ତି ଉଦଳା ବ୍ଲକ ପାଟଶାଣିପୁର ଅଞ୍ଚଳର ପରେଶ ସିଂ । ଯିଏକି ଏକ ବର୍ଷରୁ ଅଧିକ ହେବ କିରୋସିନ ଆଣୁ ନାହାନ୍ତି । ଏପରିକି ତାଙ୍କର ସମସ୍ତ କାଗଜପତ୍ର, ଖାତା ଅଫିସରେ ସମ୍ପାଦକ ରଖିଛନ୍ତି ବୋଲି ସେ କହିଛନ୍ତି । ଆଉ ଜଣେ ଡିଲର ହେଲେ ଖଡ଼ିକାଷୋଳ ଅଞ୍ଚଳର ସଞ୍ଜବତୀ ସ୍ୱୟଂ ସହାୟକ ଗୋଷ୍ଠୀ । ଯାହାର ସଭାପତି ସୂର୍ଯ୍ୟମଣି ସିଂ । ସିଏ ମଧ୍ୟ ୬ରୁ ୭ ମାସ ହେବ କିରୋସିନି ନେଉ ନଥିବା କହିଛନ୍ତି ।
ଘୋଟାଲା ବାବଦରେ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ ବିତଣ୍ଡା ଉତ୍ତର ରଖିଥିଲେ । କାଗଜପତ୍ରରେ ଲେଖା ଯାଇଛି ମାନେ ସବୁ ଠିକ ଅଛି ବୋଲି କହି ସମ୍ପାଦକଙ୍କ କଳାବଜାରୀକୁ ଘଣ୍ଟ ଘୋଡାଇଛନ୍ତି । ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ଯେତେବେଳେ ଡିଲର କିରୋସିନି ନେଇ ନାହାନ୍ତି ସେତେବେଳେ ବ୍ୟାରେଲ ଭର୍ତ୍ତି ତେଲ କୁଆଡେ ଗଲା ? ତାହା ତଦନ୍ତ ସାପେକ୍ଷ ବୋଲି ଦାବି ଉଠିବାରେ ଲାଗିଛି ।

