spot_img

Latest Posts

ସରୁନି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରବାସୀଙ୍କ ଦୁଃଖ, କେବେ ସୁଧୁରିବ ଟ୍ରାଫିକ୍ ସମସ୍ୟା ?

ନନ୍ଦିଘୋଷ ବ୍ୟୁରୋ: ସରୁନି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରବାସୀଙ୍କ ଦୁଃଖ । ପ୍ରତିଦିନ ଟ୍ରାଫିକ ସମସ୍ୟାରେ ପେଷି ହେଉଛନ୍ତି  । ଅନେକ ସମୟରେ ଘଟୁଛି ଛୋଟ ବଡ ଦୁର୍ଘଟଣା । ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମାଣ ହେଉଥିବା ରେଳ ଓଭର ବ୍ରିଜ ରାସ୍ତା ସହର ମଧ୍ୟ ଦେଇ ଯାଉଥିବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ଆହୁରି ବଢିବାରେ ଲାଗିଛି ।

କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ସୁଧୁରୁନି ଟ୍ରାଫିକ ସମସ୍ୟା । ରେଳ ଭୂତଳ ପୋଲ ନିର୍ମାଣ ପରେ ବି ଯଥା ପୂର୍ବଂ ତଥା ପରଂ ସ୍ଥିତି । ଅନେକ ସମୟରେ ଘଟୁଛି ଦୁର୍ଘଟଣା ।… କେସିଙ୍ଗା ସହର ମଧ୍ୟ ଦେଇ ୨୬ ନମ୍ବର ଜାତୀୟ ରାଜପଥ ଯାଇଛି । ଜାତୀୟ ରାଜପଥ ୨୬ ଗୋଟିଏ ପାର୍ଶ୍ବରେ ରାଜଧାନୀ ଭୁବନେଶ୍ଵର ଏବଂ ଅନ୍ୟପଟେ କୋରାପୁଟକୁ ସଂଯୋଗ କରେ । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭାରିଯାନ ଚଳାଚଳ କରେ । ଯାହା ପାଇଁ ଉତ୍କଟ ଟ୍ରାଫିକ ସମସ୍ୟା ଉପୁଜେ । ପୂର୍ବରୁ ଜାତୀୟ ରାଜପଥରେ ରେଳ ଫାଟକ ବି ଥିଲା । ଫଳରେ ଅନେକ ସମୟ ଧରି ଯାନବାହନ ଅଟକି ରହୁଥିଲା । ତାହାର ସମାଧାନ କରିବାକୁ ସହରବାସୀ ଆନ୍ଦୋଳନ କରିଥିଲେ । ପରବର୍ତ୍ତୀ ସମୟରେ ରେଳ ଭୂତଳ ପୋଲ ନିର୍ମାଣ ହୋଇଥିଲେ ସୁଦ୍ଧା ଫଳ ଶୂନ ।

କେସିଙ୍ଗାରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଞ୍ଚଳବାସୀ ଏକ ବାଇପାସ ରାସ୍ତା ନିର୍ମାଣ କରିବାକୁ ଦାବି କରି ଆସୁଥିଲେ । ୨୦୨୩ ମେ ୧୦ ତାରିଖରେ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ଚାରି ଥାକିଆ ରେଳ ଓଭର ବ୍ରିଜ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା । ଯାହାକି ବାଇପାସର କାମ କରିଥାନ୍ତା । କିନ୍ତୁ ତାହାର ଏକ ପାର୍ଶ୍ଵ ସହର ମଧ୍ୟରେ ଥିବା ସରସ୍ଵତୀ ଶିଶୁ ମନ୍ଦିର ସାମ୍ନାରେ ବାହାର କରାଯାଇଛି । ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ତାହାକୁ ସହର ମଧ୍ୟରେ ବାହାର ନକରି ୩ କିଲୋମିଟର ଦୂରରେ ଥିବା ଜୋଲକୋ ଛକରେ ବାହାର କରିବାକୁ ଦାବି ହୋଇଛି । ଅନ୍ୟପଟେ ପ୍ରକଳ୍ପରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି ଅଧୀକ୍ଷଣ ଯନ୍ତ୍ରୀ । ଲୋକଙ୍କ ସୁବିଧା ପାଇଁ ପ୍ରକଳ୍ପରେ ପରିବର୍ତ୍ତନ କରିବାକୁ ସାଧାରଣରେ ଦାବି ହୋଇଛି । ନହେଲେ ଆନ୍ଦୋଳନ କରାଯିବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି ।

Latest Posts

Don't Miss