ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। କେବଳ ପଶ୍ଚିମବଙ୍ଗ ନୁହେଁ, ତାମିଲନାଡୁ, ପୁଡୁଚେରୀ, ଆସାମରେ ବି ହେବ ନିର୍ବାଚନ। ପଶ୍ଚିମବଙ୍ଗର କଂଗ୍ରେସ ନେତାଙ୍କ ସହ ଆଜି ବସିବ ଦାଇକମାଣ୍ଡଙ୍କ ବୈଠକ। ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ହେବ ମାନସ ମନ୍ଥନ। ୧୮ରେ ହେବ ସ୍କ୍ରିନିଂ, ରାଜନୈତିକ କାର୍ଯ୍ୟକାରୀ କମିଟି ଆଦିର ବୈଠକ ବସିବ। ଆଇ-ପାକ୍ ପ୍ରସଙ୍ଗରେ ଇଡି ରେଡକୁ କେନ୍ଦ୍ର କରି ବିବାଦ ଚାଲିଥିବା ବେଳେ କଂଗ୍ରେସର ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ହୋଇଛି। ଏହି ବୈଠକରେ ପଶ୍ଚିମବଙ୍ଗରେ କେଉଁ ଦଳ ସହ କଂଗ୍ରେସ ମେଣ୍ଟ କରିବ ସେନେଇ ବି ହେବ ଆଲୋଚନା।
ପଶ୍ଚିମବଙ୍ଗ ଲାଗି ସୁଦୀପ ରାୟ ବର୍ମନ, ସକିଲ ଅହମ୍ମଦ ଖାନ, ପ୍ରକାଶ ଯୋଶୀଙ୍କୁ ପର୍ଯ୍ଯବେକ୍ଷକ ଭାବେ ନିଯୁକ୍ତି ଦେଇଛି କଂଗ୍ରେସ। ଏହି ବୈଠକରେ ଏଆଇସିସି ସାଧାରଣ ସମ୍ପାଦକ ଗୁଲାମ ମହମ୍ମଦ ମୀର, ପଶ୍ଚିମବଙ୍ଗ କଂଗ୍ରେସ କମିଟି ମୁଖ୍ୟ ଶୁଭଙ୍କର ସରକାର, ଏଆଇସିସି ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ. କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଯୋଗଦେବେ। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ଟିଏମସିର ସଦସ୍ୟ ସଂଖ୍ୟା ରହିଛି ୨୨୩। ସରକାରରେ ଥିବା ଟିଏମସିକୁ ସମର୍ଥନ କରୁଛନ୍ତି ବିଜିପିଏମର ଜଣେ ଓ ଜଣେ ସ୍ବାଧୀନ ବିଧାୟକ। ବିରୋଧୀ ଦଳରେ ରହିଛି ବିଜେପି। ଏହାର ସଦସ୍ୟ ସଂଖ୍ୟା ରହିଛି ୬୫।

