ଆଜିଠୁ ଖଣ୍ଡଗିରି ମାଘ ମେଳା, ଜମିଲାଣି ବାବାଙ୍କ ମେଳି

ଭୁବନେଶ୍ବର: ଆଜିଠୁ ଖଣ୍ଡଗିରି ମାଘ ମେଳା । ଜମିଲାଣି ବାବାଙ୍କ ମେଳି । ସକାଳୁ ମା ବାରଭୂଜାଙ୍କ ପୂଜାର୍ଚ୍ଚନା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଯଜ୍ଞ ଆରମ୍ଭ କରିବେ । କରୋନା କଟକଣା ନଥିବାରୁ ଏଥର ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୩୦ ତାରିଖରୁ ଯାତ୍ରାପାର୍ଟି ପାଇଁ ଅନୁମତି ମିଳିଛି । ଯାତ୍ରାଜଗତର ସମସ୍ତ ନାମୀ ଦାମୀ ଅପେରା ପାର୍ଟିମାନଙ୍କର ପ୍ରତିଯୋଗିତା ଏହି ମେଳାରେ ଦେଖିବାକୁ ମିଳିବ । ଚଳିତ ବର୍ଷ ଯାତ୍ରା ପେଣ୍ଡାଲରେ ଅଧିକ ଦର୍ଶକ ଯାତ୍ରା ଉପଭୋଗ କରିବେ ବୋଲି ଆଶା କରାଯାଉଛି । କୌଣସି ଯାତ୍ରାପାର୍ଟି ଅଶ୍ଳିଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ । ଏହା ଉପରେ କଟକଣା ଲାଗାଇଛି ବିଏମସି।

ଚଳିତ ବର୍ଷ ମେଳାରେ ପରିମଳ ଏବଂ ସାନିଟେସନକୁ ବେଶ ଗୁରୁତ୍ବ ଦେଇଛି ବିଏମସି । ମେଳାରେ ବ୍ୟବସାୟୀଙ୍କ ଭଳିକି ଭଳି ପସରା ସବୁ ମେଲିଛି । ଦୋକାନ, ବଜାରଠାରୁ ଆରମ୍ଭ କରି ମୀନାବଜାର ପର୍ଯ୍ୟନ୍ତ ସବୁ ଦୋକାନ ମେଳାରେ ଦେଖିବାକୁ ମିଳିଛି। ବିଭିନ୍ନ ଅଞ୍ଚଳର ଖାଦ୍ୟ, ଘର ସାଜସଜ୍ଜା ଉପକରଣ ଓ ଛୋଟ ପିଲାମାନଙ୍କ ପାଇଁ ଦୋଳି ଆଦି ଦୋକାନ ଖୋଲିଛି ।