spot_img

Latest Posts

ଆମେରିକାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଙ୍କୁ ଅସମ୍ମାନ କଲେ ଖାଲିସ୍ତାନୀ

ୱାଶିଂଟନ: ଭାରତ ସରକାରଙ୍କ ନୂଆ କୃଷି ନିୟମକୁ ବିରୋଧ କରି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବେ ବର୍ତ୍ତମାନ ବିଶ୍ୱବ୍ୟାପୀ ହୋଇଛି। ଆମେରିକାର ୱାଶିଂଟନରେ ମଧ୍ୟ ଏହା ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ସେଠାରେ ଥିବା ଶିଖ୍ ସମ୍ପ୍ରଦାୟ ଭାରତୀୟ ଦୂତାବାସ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଏହି ବିକ୍ଷୋଭରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି।

ୱାଶିଂଟନ୍ ଡିସିସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ଖାଲିସ୍ତାନ ସମର୍ଥକମାନେ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେମାନେ ପ୍ରତିମୂର୍ତ୍ତି ଉପରେ ଖାଲିସ୍ତାନ ପତାକା ପକାଇ ବେକରେ ଦଉଡ଼ି ସାହାଯ୍ୟରେ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟର ବାନ୍ଧିଥିଲେ ଓ ଭାରତ ବିରୋଧୀ ନାରାବାଜୀ କରିଥିଲେ। ତେବେ ଏହି ଘଟଣାକୁ ନେଇ ଆମେରିକା ଦୂତାବାସ ଓ ଆମେରିକା ପ୍ରଶାସନ ନିକଟରେ ପ୍ରତିବାଦ କରିଛି ଭାରତ। ଏହି ଘଟଣାର ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଦାବି କରିଛି। ତେବେ ଏହା ପ୍ରଥମଥର ନୁହେଁ ଏହା ପୂର୍ବରୁ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଜୁନରେ ୱାଶିଂଟନରେ ଏକ ପ୍ରଦର୍ଶନ ସମୟରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଥିଲା।

ସୂଚନାଯୋଗ୍ୟ, ନୂଆ କୃଷି ନିୟମକୁ ବିରୋଧ କରି ଦେଶରେ ଚାଷୀଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ତିନୋଟି ଆଇନକୁ ପ୍ରତ୍ୟାହାର କରିବାକୁ ଚାଷୀମାନେ ଦାବି କରୁଛନ୍ତି। ଚାଷୀମାନେ ସରକାରଙ୍କ ସହ ପାଞ୍ଚ ରାଉଣ୍ଡ ଆଲୋଚନା କରିଛନ୍ତି କିନ୍ତୁ ସମସ୍ୟାର ସମାଧାନ ହୋଇପାରି ନାହିଁ। ଚାଷୀମାନେ ଏବେ ବି ଦିଲ୍ଲୀ ସୀମାରେ ଅଟକି ରହିଛନ୍ତି। ଆଗକୁ ଆନ୍ଦୋଳନ ଆହୁରି ତୀବ୍ର କରିବା ପାଇଁ ଦିଲ୍ଲୀ ଅଭିମୁଖେ ହଜାର ହଜାର ଚାଷୀ ପଞ୍ଜାବରୁ ଆସୁଥିବା ସୂଚନା ରହିଛି।

Latest Posts

Don't Miss