ସଜେଇ ହେଲାଣି ଖଣ୍ଡଗିରି

ଭୁବନେଶ୍ବର: ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରିରେ ମାଘସପ୍ତମୀ କୁମ୍ଭମେଳା । ନାମ, ଧ୍ବନି, ସଂର୍କୀତ୍ତନ କୋଲାହଳ ହେବ ଖଣ୍ଡଗିରି ଗୁମ୍ଫା । ରାଜ୍ଯ ତଥା ରାଜ୍ଯ ବାହରର ସାଧୁସନ୍ଥ ଏବେ ଭୁବନେଶ୍ବରରେ ଡେରା ପକାଇଲେଣି । ପାହଡର ପାଦ ଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌନ୍ଦଯ୍ଯକରଣ, ସ୍ବଚ୍ଛତା ଉପରେ ଫୋକସ କରିଛି ବିଏମସି ।

ଦିନକ ପରେ କୁମ୍ଭମେଳା । ସଜେଇ ହେଲାଣି ଖଣ୍ଡଗିରି । ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ । ପରିମଳରୁ ପାନୀୟ ଓ ପାର୍କିଂ । ସବୁଠି ବିଏମସିର ବ୍ଯାପକ ବ୍ଯବସ୍ଥା । ଖଣ୍ଡଗିରି ମାଘସପ୍ତମୀ ମେଳା ନେଇ ପାହଡର ପାଦଦେଶ ଚାରିଆଡେ ସଫା ସୁତରା । ଆଲୋକୀକରଣ ସାଙ୍ଗକୁ ସୌନ୍ଦଯ୍ଯକରଣ ନେଇ ରୋଡ ମ୍ଯାପ ପ୍ରସ୍ତୁତ ହୋଇଛି । ଚାରିଆଡେ ଆଲୋକୀକରଣ କରିବା ପାଇଁ ଲାଇଟ ଲଗାଯାଇଛି । ଏହାସହ ପାଣି, ପରିମଳ, ସ୍ବଚ୍ଛତାକୁ ପ୍ରାଥମିକତା ଦେଇଛି ବିଏମସି । ଖଣ୍ଡଗିରି ଛକରୁ ପାହଡ ପଯ୍ଯନ୍ତି କିଭଳି ଭିଡ ନ ହେବ ସେ ନେଇ ପୋଲିସ ସହିତ ଆଲୋଚନା ହୋଇଛି । ସିସିଟିଭି ଓ ପାର୍କିଂ ନେଇ ପ୍ଳାନ କରିଛି ବିଏମସି ।

ମାଘସପ୍ତମୀ ମେଳା ନେଇ ରାଜ୍ୟ ତଥା ରାଜ୍ଯ ବାହରର ସାଧୁସନ୍ଥ ଓ ବାବାଙ୍କ ଆଗମନ ହେଲାଣି । ଏକ ହଜାରରୁ ଅଧିକ ସାଧୁସନ୍ଥ ଆସିବା ନେଇ ଯୋଜନା ହୋଇଛି । ବାବା ଓ ସାଧୁସନ୍ଥଙ୍କ ସ୍ବତନ୍ତ୍ର ଭାବରେ ଟେଣ୍ଟ ବନ୍ଧା ହୋଇଛି । ପାହାଡ଼ ଉପରେ ଥିବା ଦେବସଭା ଅଞ୍ଚଳ ସାଧୁ ମାନେ ସଫା କରିଛନ୍ତି । ଉତ୍କଳ ପଞ୍ଚଶାଖା ଭାଗବତ ଆଖଡା ପକ୍ଷରୁ ୯ ଦିନ ଧରି ହେବାକୁ ଥିବା ମେଳାରେ ଏକ ହଜାରରୁ ଅଧିକ ସାଧୁସନ୍ଥ ଯୋଗ ଦେଇ ଆଧ୍ଯାତ୍ମିକ ଦିଗଦର୍ଶନ, ଐତିହ, ସଂସ୍କୃତି ଓ ପରମ୍ପରାର ଉପରେ ଜନ ସଚେତନା ସୃଷ୍ଟି କରିବେ । ବେଦପାଠ ସହିତ ଜାଗମରା ଠାରୁ ଖଣ୍ଡଗିରି ପଯ୍ଯନ୍ତ ସଂର୍କୀତନ ଓ କଳସ ଶୋଭାଯାତ୍ରା କରାଯିବ । ପ୍ରତିଦିନ ସନ୍ଧ୍ଯା ଧର୍ମ ଆଲୋଚନା, ପ୍ରବଚକ, ବିଶିଷ୍ଟ ଗବେଷକଙ୍କ ଦ୍ବାରା ପ୍ରବଚନ ଅନୁଷ୍ଠିତ ହେବ ବୋଲି ଉତ୍କଳ ପଞ୍ଚଶାଖା ଭଗବତ ଆଖଡା ପକ୍ଷରୁ ସୂଚନା ଦିଆଯାଇଛି।