କିଏ ହାତେଇବ ଖଣ୍ଡପଡ଼ା ଗଡ଼ ?

1 min read

ନୟାଗଡ଼: ୨୦୨୪ ନିର୍ବାଚନକୁ ନେଇ ଖଣ୍ଡପଡ଼ା ରାଜନୀତିରେ ବଢ଼ିଲାଣି ତାତି l ଏଥର କାହା ହାତକୁ ଯିବ ଖଣ୍ଡପଡ଼ା ସେନେଇ ଚାଲିଛି ଅଙ୍କକଷା l ପ୍ରଚାର ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ଯରେ ମୁଖ୍ଯତଃ ପ୍ରତିଦ୍ବନ୍ଦ୍ବିତା ହେବ । ନିଜ ସପକ୍ଷରେ ଭୋଟ ବ୍ଯାଙ୍କ ଭିଡିନେବାକୁ ତିନି ଦଳ ଝାଳବୁହା ପରିଶ୍ରମ କରୁଛନ୍ତି । ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ, କଂଗ୍ରେସ ପ୍ରାର୍ଥୀ ବୈଜୟନ୍ତୀମାଳା ମହାନ୍ତିଙ୍କୁ ମିଳିଛି ଟିକେଟ୍।

୨୦୦୦ ପରଠାରୁ ବିଜେଡିର ଗଡ଼ ରହିଛି ଖଣ୍ଡପଡ଼ା ବିଧାନସଭା ଆସନ । ଚଳିତ ନିର୍ବାଚନରେ ବିଜେଡ଼ିରୁ ସାବିତ୍ରୀ ପ୍ରଧାନ, ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ, କଂଗ୍ରେସ ପ୍ରାର୍ଥୀ ବୈଜୟନ୍ତୀମାଳାଙ୍କୁ ଟିକେଟ୍ ମିଳିଛି। ଏଥର ମଧ୍ଯ ବିପୁଳ ଜନସମର୍ଥନରେ ବିଜେଡ଼ି ଖଣ୍ଡପଡାରୁ ବାଜିମାତ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି। ଘରକୁ ଘର ବୁଲି ନବୀନ ସରକାରଙ୍କ ବିକାଶକୁ ମୁଦ୍ଦା କରି ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ। ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ମୋଦି ଗ୍ୟାରେଣ୍ଟି ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । କଂଗ୍ରେସ ପ୍ରାର୍ଥୀ ବୈଜୟନ୍ତୀମାଳା ମହାନ୍ତି ବିଜେଡ଼ି ଛାଡ଼ି କଂଗ୍ରେସରେ ମିଶିବା ପରେ କଂଗ୍ରେସ ତାଙ୍କୁ ଟିକେଟ ଦେଇଛି l କଂଗ୍ରେସ କର୍ମୀଙ୍କୁ ଏକାଠି କରି ସଂଗଠନକୁ ସୁଦୃଢ କରିବା ସହ କଂଗ୍ରେସ ଆସିଲେ ମୌଳିକ ସମସ୍ୟା ଦୂର କରିବାକୁ ସେ ପ୍ରତିଶୃତି ଦେଉଛନ୍ତି ।

ଭାପୁର ବ୍ଲକ, ଖଣ୍ଡପଡ଼ା ବ୍ଲକ ଏବଂ NACକୁ ନେଇ ଗଠିତ ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳି । ଏଠାରେ ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୭୯ ହଜାର ୯୨୩ l ଏଥିରୁ ମହିଳା ଭୋଟର ୮୪, ୧୫୫ ଏବଂ ପୁରୁଷ ଭୋଟର ୯୫, ୭୬୮ l ୨୦୧୯ରେ ଏଠାରୁ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ବାଜିମାତ କରିଥିଲେ। ସୌମ୍ୟରଞ୍ଜନଙ୍କୁ ୧ ଲକ୍ଷ ୩୮ଟି ଭୋଟ ମିଳିଥିବା ବେଳେ, ଦ୍ବିତୀୟ ସ୍ଥାନରେ ଥିବା ସ୍ଵାଧୀନ ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁଙ୍କୁ ୧୮ହଜାର ୬୦୮ ଭୋଟ୍ ମିଳିଥିଲା l ସେହିପରି ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂ ୧୪ ହଜାର ୧୪ ଖଣ୍ଡ ଭୋଟ୍ ପାଇଥିଲେ l କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାର ମହାରଣାଙ୍କୁ ମିଳିଥିଲା ମାତ୍ର ୮୮୫ ଭୋଟ l