ରାଜଧାନୀରେ ୪ ବର୍ଷର ଶିଶୁକୁ ଅପହରଣ କଲା ଧରମ ମାମୁଁ

ଭୁବନେଶ୍ବର: ରାଜଧାନୀର ଭୋଇ ନଗରରୁ ୪ ବର୍ଷର ଶିଶୁ ପୁତ୍ରକୁ ଅପହରଣ କଲା ଧରମ ମାମୁଁ । ବାପାମାଆ ଘର ଭିତରେ ଥିବା ସମୟରେ ବାହାରେ ଖେଳୁଥିବା ୪ ବର୍ଷ ଶିଶୁ ପୁତ୍ରକୁ ଅପହରଣ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ମାମୁଁ ଅଭିଷେକ ଦିଗଲ ଓରଫ ସୋନୁ । ଘର ଲୋକେ ପୁଅକୁ ନପାଇ ଖୋଜା ଖୋଜି କରିଥିଲେ । ହେଲେ ପୁଅକୁ ନପାଇବାରୁ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ଦମ୍ପତି । ଅଭିଯୋଗ ପରେ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ସହିଦନଗର ଥାନା ପୋଲିସ । ତିନି ଘଣ୍ଟାର ଖୋଜା ପରେ ସାଲିଆ ସାହିରୁ ଶିଶୁ ଓ ଅପହରଣକାରୀ ସୋନୁକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ପୋଲିସ ଅପହରଣକାରୀଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ବେଙ୍ଗାଳୁରୁରେ ଅଭିଯୁକ୍ତ ସୋନୁ ସହିତ ଦମ୍ପତିଙ୍କର ଦେଖା ହୋଇଥିଲା । ପରେ ଅଭିଯୋଗକାରିଣୀ ଗୋରିତା ସିଂଙ୍କ ସହିତ ଅଭିଯୁକ୍ତ ସୋନୁର ସମ୍ପର୍କ ସ୍ଥାପନ ହୋଇଥିଲା । ସେଠି ମିସ୍ତ୍ରୀ ଭାବେ କାମ କରୁଥିଲା, ପରବର୍ତ୍ତି ସମୟରେ ଉଭୟଙ୍କ ଭିତରେ ସମ୍ପର୍କ ବଢିବା ସହ ସୋନୁକୁ ଧରମ ଭାଇ ବନାଇଥିଲେ ଗୋରିତା । ଗୋରିତା ଭୁବନେଶ୍ୱର ଫେରି ଆସି ନିଜ ସ୍ୱାମୀ ଓ ପିଲାଙ୍କ ସହ ରହିଥିଲେ । ପାଖାପାଖି ବର୍ଷେ ପରେ ଅଭିଯୁକ୍ତ ଭୁବନେଶ୍ୱର ଆସି ଗୋରିତାଙ୍କୁ ଦେଖା କରିଥିଲେ । ଧରମ ଭାଇ ହିସାବରେ ଗୋରିତା ତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ତେବେ ଘର ଭିତରେ ସ୍ୱାମୀ ସ୍ତ୍ରୀ ଥିବା ବେଳେ, ବାହାରେ ଖେଳୁଥିବା ୪ ବର୍ଷ ଶିଶୁକୁ ନେଇ ଆଜି ଫେରାର ହୋଇଯାଇଥିଲା ଅଭିଯୁକ୍ତ ।