ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ବାମୀଙ୍କୁ ହତ୍ୟା କରି କୂଅରେ ପକାଇଦେଲେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ ହତ୍ୟା ।  ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ ବାଲିପାଳ ପଂଚାୟତର ସରପଞ୍ଚ ଥିଲେ । ମଙ୍ଗଳବାର ରାତିରେ କେହି ଦୁର୍ବୁତ୍ତ ଉଭୟଙ୍କୁ ହତ୍ୟାକରି ଘର ପାଖ କୂଅରେ ପକାଇ ଦେଇଥିଲେ ।

ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ବାମୀ ମୟୂରନଚା ଗ୍ରାମରେ ରହୁଥିଲେ । ବୁଧବାର ଗାଁ ଲୋକ ଯାଇଥିବାବେଳେ ଘରେ କେହି ଲୋକ ନଥିଲେ । ଘରେ କେହି ନ ଶୁଣିବାରୁ କବାଟ ଖୋଲି ବାଡି ଭିତରକୁ ଯାଇଥିଲେ । ବାଡି ଭିତରେ ରକ୍ତ ପଡ଼ିଥିବାର ଦେଖିବା ସହ କୂଅରେ ରମ୍ଭାମଣୀଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ।

ସୋସୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରେ ୨ଟି ଶବ ପଡିଥିବା ଦେଖିବାକୁ ପାଇଥିଲେ । ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିଛନ୍ତି ।  ପୁଲିସ ଶବକୁ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଚଳାଇଛି । ହତ୍ୟାର କାରଣ ଅସ୍ପଷ୍ଟ ଅଛି । ଅଭିଯୁକ୍ତଙ୍କର ଏଯାଏଁ କିଛି ପତ୍ତା ମିଳିନି ।