ଚିରନିଦ୍ରାରେ ମହେଶ୍ୱର ମହାନ୍ତି; ଜାଣନ୍ତୁ କିଭଳି ଥିଲା ତାଙ୍କ ରାଜନୈତିକ କ୍ୟାରିୟର…

ଭୁବନେଶ୍ୱର: ଜଣେ ରାଜନେତା ଭାବେ କେବଳ ପୁରୀରେ ନୁହେଁ, ସାରା ରାଜ୍ୟରେ ସେ ସୁପରିଚିତ। ଛାତ୍ର ଜୀବନରୁ ରାଜନୀତି କରୁଥିବା ମହେଶ୍ବର ମହାନ୍ତି ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ରେ ପ୍ରଥମେ ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡିରୁ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ପୁରୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ କିନ୍ତୁ ସେ ହାରିଯାଇଥିଲେ।

୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ପୁରୀରେ ମହେଶ୍ବର ମହାନ୍ତିଙ୍କ ଜନ୍ମ। ଜଣେ ରାଜନୀତି ବିଜ୍ଞାନ ଓ ଆଇନ ଛାତ୍ର ଥିଲେ ମହେଶ୍ବର। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ପେଶାରେ ସେ ଥିଲେ ଜଣେ ଆଇନଜୀବୀ। ପରବର୍ତ୍ତୀ ସମୟରେ ସେ ରାଜନୀତିରେ ପାଦ ଦେଇଥିଲେ। ଅବଶ୍ୟ ସେ ଛାତ୍ର ଜୀବନରୁ ରାଜନୀତି କରି ୧୯୭୩ରେ ପୁରୀ ଏସସିଏସ କଲେଜ ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ମଧ୍ୟ ଓଡିଆ ସୋସାଇଟିର ସେଥିଲେ ସାଧାରଣ ସମ୍ପାଦକ।

୧୯୭୮ରେ ସେ ପୁରୀ ପୌର ପରିଷଦର କାଉନସିଲ ଭାବେ ନିର୍ବାଚିତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିଲେ। ପରେ ୧୯୮୫ରୁ ୧୯୯୦ ଓ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଦୁଇ ଦୁଇ ଥର ପୁରୀ ପୌରପରିଷଦର ଅଧ୍ୟକ୍ଷ ହୋଇଥିଲେ। ୧୯୯୪ ମସିହାରୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ। ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଏକାଧିକ ବିଭାଗର ମନ୍ତ୍ରୀ ଓ ବାଚସ୍ପତି ଭାବେ ଗୁରୁଦାୟିତ୍ବ ତୁଲାଇଛନ୍ତି ମହେଶ୍ବର। ଜଣେ ଅନୁଭବୀ ଓ ଅନୁଭୁତି ସମ୍ପନ୍ନ ରାଜନେତା ଭାବେ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ଥିଲେ ଓଡିଶା ବିଧାନସଭାର ବାଚସ୍ପତି। ବାଚସ୍ପତି ଥିବା ସମୟରେ ସେ ନେଇଥିବା ଅନେକଗୁଡିକ ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ଆଜି ବିଧାୟକମାନେ ତାଙ୍କୁ ଝୁରି ହେଉଛନ୍ତି।

ନବୀନଙ୍କ ଟିମରେ ଆଇନ, ପର୍ଯ୍ୟଟନ, ରାଜସ୍ବ, ପଞ୍ଚାୟତିରାଜ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ମହେଶ୍ବର। ୨୦୧୧ ମେ’ରୁ ୨୦୧୨ ଅଗଷ୍ଟ ପର୍ଯ୍ୟନ୍ତ ସେ ପଂଚାୟତିରାଜ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୧୨ ଅଗଷ୍ଟରୁ ୨୦୧୪ ମେ’ ପର୍ଯ୍ୟନ୍ତ ସେ ଥିଲେ ଯୋଜନା ଓ ସଂଯୋଜନା ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ। ୨୦୧୩ରୁ ୨୦୧୪ ପର୍ଯ୍ୟନ୍ତ ସେ ଆଇନ ମନ୍ତ୍ରୀ ଦାୟିତ୍ବରେ ଥିଲେ। ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିଲେ ।

ଓଡିଶା ବିଧାନସଭାର ବାଚସ୍ପତି ଭାବେ ସେ ୨୦୦୪ରେ କାନାଡାରେ ଅନୁଷ୍ଠିତ ହୋଇଥିବା ୫୦ତମ କମନଓ୍ବେଲଥ ପାର୍ଲାମେଣ୍ଟାରୀ କନଫରେନ୍ସରେ ଯୋଗଦେଇଥିଲେ। ୨୦୦୫ରେ ମଧ୍ୟ ଫିଜିରେ ଅନୁଷ୍ଠିତ ୫୧ତମ କମନଓ୍ବେଲଥ ପାର୍ଲାମେଣ୍ଟାରୀ କନଫରେନ୍ସରେ ଯୋଗଦେଇଥିଲେ। ବିଜେଡିର ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ଦଳକୁ ସୁଦୃଢ କରିବାକୁ ମଧ୍ୟ ପଦକ୍ଷେପ ନେଇଥିଲେ ମହେଶ୍ବର।