କାଶୀନଗର ବ୍ଲକ କିତିଙ୍ଗି ଗାଁରେ ଅଜଣା ରୋଗ ଆତଙ୍କ, ଶହେରୁ ଅଧିକ ହେଲେଣି ଆକ୍ରାନ୍ତ

ନନ୍ଦିଘୋଷ ବ୍ୟୁରୋ : ଅଜଣା ରୋଗ ଆତଙ୍କ । ପ୍ରଥମେ ଜ୍ଵର, ପରେ ଆଣ୍ଠୁଗଣ୍ଠି ଦରଜ । ଶରୀର ଦୁର୍ବଳ ହେବା ସହ ଚାଲିବା ହୋଇପଡୁଛି କଷ୍ଟକର । ଶିଶୁ ଠାରୁ ବୃଦ୍ଧବୃଦ୍ଧାଙ୍କ ଠାରେ ସମାନ ଲକ୍ଷଣ । ଗଜପତି ଜିଲ୍ଲା କାଶୀନଗର ବ୍ଳକ ବୁଦୁରା ପଞ୍ଚାୟତର କିତିଙ୍ଗି ଗାଁରେ ଲାଗିରହିଛି ଏହି ସ୍ଥିତି। ଗାଁରେ ପ୍ରାୟ ୨ ଶହ ପରିବାର ବାସ କରୁଥିବା ବେଳେ ଅଧିକାଂଶ ପରିବାରରେ ଏହି ସମସ୍ୟା ଦେଖାଯାଉଛି। ଏବେବି ଶତାଧିକ ଜ୍ବରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ବ୍ରହ୍ମପୁର ପଠାଇଛି ।

ପ୍ରାୟ ୩ ସପ୍ତାହ ଧରି କିତିଙ୍ଗି ଗାଁରେ ଶହେରୁ ଅଧିକ ଲୋକ ଜ୍ଵରରେ ପୀଡିତ ଅଛନ୍ତି । ଔଷଧ ସେବନ କରିବା ପରେ ସୁସ୍ଥ ହେଉ ନଥିବାରୁ ମେଡିକାଲ ଟିମ ଗାଁରେ ପହଞ୍ଚି ୯୫ ଜଣ ଆକ୍ରାନ୍ତଙ୍କ ରକ୍ତ ନମୁନାରୁ ମ୍ୟାଲେରିଆ ଓ ଡେଙ୍ଗୁର ପରୀକ୍ଷା କରିଛି । ସେଥିମଧ୍ଯରୁ ୧୫ ରୁ ଅଧିକ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ବ୍ରହ୍ମପୁରକୁ ପଠାଯାଇଛି । ସ୍ଵାସ୍ଥ୍ଯ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ଘରକୁ ଘର ବୁଲି ସ୍କ୍ରିନିଂ କରିବା ସହ ଔଷଧ ସିଞ୍ଚନ କରାଯାଇଛି । ସବିଶେଷ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସିଡିଏମଓ।