ନନ୍ଦିଘୋଷ ବ୍ୟୁରୋ : ଅର୍କକ୍ଷେତ୍ରରେ ଧୁମଧାମରେ ଚାଲିଛି ନୃତ୍ୟ, ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ । ଚତୁର୍ଥ ସନ୍ଧ୍ୟାରେ ମନମୋହିଲା ମଣିପୁରୀ ଓ ଓଡିଶୀ ନୃତ୍ୟର ଅପୂର୍ବ ସମ୍ଭାର । ଗଣେଶ ଓ କୃଷ୍ଣଙ୍କ ଦିବ୍ୟ ଆରାଧନାରେ ବିଭୋର ହେଲେ କଳା ପ୍ରେମୀ । ହରେକୃଷ୍ଣ ମହାମନ୍ତ୍ରରେ କମ୍ପିଲା ମୁକ୍ତାକାଶ ମଞ୍ଚ । ଶୀତୁଆ ସନ୍ଧ୍ୟାରେ ମଣିପୁରୀ ଓ ଓଡିଶୀ ଦେଖି ମନ୍ତ୍ରମୁଗ୍ଧ ହେଲେ ଉପସ୍ଥିତ ଦର୍ଶକ ।
କମ୍ପୁଛି ମୁକ୍ତାକାଶ ରଙ୍ଗମଞ୍ଚ । ଚାଲିଛି ନୃତ୍ୟ, ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ। ଚତୁର୍ଥ ସନ୍ଧ୍ୟାରେ ମନମୋହିଲା ମଣିପୁରୀ ଓ ଓଡିଶୀ ନୃତ୍ୟର ଅପୂର୍ବ ସମ୍ଭାର । ପ୍ରଥମ ପର୍ଯ୍ୟାୟରେ ବିମ୍ବାବତୀ ଦେବୀଙ୍କ ମଣିପୁରୀ ନର୍ତ୍ତନାଳୟର ଶିଳ୍ପୀମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା ମଣିପୁରୀ ନୃତ୍ୟ । କୃଷ୍ଣଙ୍କ ବିଭିନ୍ନ ସାହସିକ ଲୀଳାକୁ ନିଖୁଣ ଭାବେ ଦର୍ଶାଇଥିଲେ କଳାକାର । ନୃତ୍ୟ ଓ ସଙ୍ଗୀତ ସହିତ ମିଶ୍ରିତ ମଣିପୁରର ବିଭିନ୍ନ ବୈଷ୍ଣବ ପରମ୍ପରାକୁ ଦର୍ଶାଇଥିଲେ କଳାକାର । ଯାହାର ନୃତ୍ୟ ସଂରଚନା କରିଥିଲେ ବିମ୍ବାବତୀ ଦେବୀ । ୩୬ତମ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ ।
ସଂଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶୀ ନୃତ୍ୟରେ କମ୍ପିଥିଲା ମୁକ୍ତାକାଶ ମଞ୍ଚ। ଭୁବନେଶ୍ଵରର ଭାରତୀ ନୃତ୍ୟ ମନ୍ଦିରର ଗୁରୁ ଭରତ ଚରଣ ଗିରି ଓ ସାଥୀ ଶିଳ୍ପୀମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା ଓଡିଶୀ । ପ୍ରଥମ ପ୍ରସ୍ତୁତିରେ ଥିଲା ଚାରୁକେଶୀ ପଲ୍ଲବୀ । ଯେଉଁଥିରେ ତାଳ, ଲୟ ଓ ବିନ୍ୟାସର ମିଶ୍ରଣ ସହିତ ଗତି ଓ ସଙ୍ଗୀତ ମାଧ୍ୟମରେ ରାଗର ସୌନ୍ଦର୍ଯ୍ୟକୁ ପ୍ରକାଶ କରଯାଇଥିଲା । ସେହିଭଳି ଦ୍ବିତୀୟ ପ୍ରସ୍ତୁତିରେ ଥିଲା ଭଗବାନ ଗଣେଶଙ୍କ ଦିବ୍ୟ ଉତ୍ପତ୍ତିର ନିଖୁଣ ବର୍ଣ୍ଣନା । ଯାହାକୁ ଅତି ଚମତ୍କାର ଭାବରେ ନୃତ୍ୟରେ ଉପସ୍ଥାପନ କରିଥିଲେ ଶିଳ୍ପୀମାନେ। ଶୀତୁଆ ସନ୍ଧ୍ୟାରେ ମୁକ୍ତାକାଶ ମଞ୍ଚରେ ବିଭୋର ହୋଇଥିଲେ ଦର୍ଶକ ।
ଆଜି କୋଣାର୍କ ଉତ୍ସବର ପଞ୍ଚମ ତଥା ଅନ୍ତିମ ଦିନ । ଉଦଯାପନୀ ଦିବସରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ଉତ୍କଳ ଡାନ୍ସ ଓ ରିସର୍ଚ୍ଚ ଏକାଡେମୀର ଗୁରୁ ଆରତୀ କର ଓ ସାଥୀ । କଥକ ନୃତ୍ୟ ଶୈଳୀକୁ ପରିବେଷଣ କରିବେ ସଞ୍ଜୁକ୍ତା ସିହ୍ନା ଓ ସାଥୀ ଶିଳ୍ପୀ ବୃନ୍ଦ ।

