ନନ୍ଦିଘୋଷ ବ୍ୟୁରୋ: ଉତ୍ସବ ମୁଖର ଅର୍କକ୍ଷେତ୍ର କୋଣାର୍କ । ଆଜିଠୁ ୫ ଦିନ ବ୍ୟାପୀ ଆରମ୍ଭ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୬ତମ କୋଣାର୍କ ଉତ୍ସବ । ଚନ୍ଦ୍ରଭାଗା ବେଳାଭୂମିରେ ବି ଆରମ୍ଭ ହେବ ୧୫ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ, ତୋରଣ, ଆଲୋକ ସହ ଚନ୍ଦ୍ରଭାଗାରେ ବ୍ଯାରିକେଡ ନିର୍ମାଣ କରାଯାଇଛି । ସୁରକ୍ଷା ପାଇଁ ସିସିଟିଭି, କଳାକାରଙ୍କ ରହଣୀ ଓ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଆଜିଠୁ ୭ ଯାଏଁ ଚନ୍ଦ୍ରଭାଗା ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ । ଦେଶ ବିଦେଶର କଳାକାରଙ୍କ ଦ୍ୱାର ଓଡିଶୀ, ଭାରତ ନାଟ୍ୟମ, କୁଚିପୁଡ଼ି, କଥକଲି, ମଣିପୁରୀ ଓ କଥକ ନୃତ୍ୟ ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିବ । ୧୯୮୭ ଅକ୍ଟୋବର ୧୦ ରେ ସ୍ଥାପନ ହୋଇଥିଲା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ଭିତ୍ତି ପ୍ରସ୍ତର । ୧୯୮୯ ଫେବୃଆରୀ ୨୫ରେ ଏହା ଉଦୁଘାଟିତ ହୋଇଥିଲା । ସେହି ବର୍ଷ ଡିସେମ୍ବର ୧ ରୁ ୫ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ନୃତ୍ୟ ଓ ସଙ୍ଗୀତ ମହାକୁମ୍ଭ କୋଣାର୍କ ଉତ୍ସବ । ଏହା ସହିତ ୨୦୧୦ ରୁ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତ୍ରଜାତୀୟ ବାଲୁକା କଳା ଉତ୍ସବ ଯୋଡି ହୋଇଛି । ଚଳିତବର୍ଷ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳେଭୂମିରେ ଜାପାନ, ରୁଷିଆ, ସ୍ପେନ, ପର୍ତ୍ତୃଗାଲ, ଶ୍ରୀଲଙ୍କା ଆଦି ଦେଶ ସମେତ ଭାରତ ବିଭିନ୍ନ ରାଜ୍ୟରୁ ୩୦ରୁ ଉର୍ଦ୍ଧ ଷ୍ଟଲରେ ବାଲୁକା କଳା ପଦର୍ଶନ କରିବେ ଶିଳ୍ପୀ ।

