କୋଟାକ୍ ସିକ୍ୟୁରିଟି ନାଁରେ ୭୦ ଲକ୍ଷରୁ ଅଧିକ ଟଙ୍କା ଠକେଇ, ଥାନାରେ ଏତଲା ଦେଲେ ୩୦ ନିବେଶକାରୀ

ସାଲେପୁର: କୋଟାକ ସିକ୍ୟୁରିଟି ନାଁରେ ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ । ଏଭଳି ଘଟଣା ଘଟିଛି କଟକ ସାଲେପୁରରେ । ସାଲେପୁର ରୋଧପୁର ଅଞ୍ଚଳର ହିତେଶ ଷଡ଼ଙ୍ଗୀ କୋଟାକ ସିକ୍ୟୁରିଟି ସଂସ୍ଥାରେ ଟଙ୍କା ରଖି ଅଧିକରୁ ଅଧିକ ଫେରସ୍ତ କରିବା କହି ଲୋଭ ଦେଖାଇଥିଲେ । ଏମିତି କହି ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଣିଥିଲେ । କିନ୍ତୁ ଏହି ଟଙ୍କା ଲୋକଙ୍କୁ ନ ଫେରେଇବାରୁ ସାଲେପୁର ଥାନାରେ 30ରୁ ଅଧିକ ନିବେଶକାରୀ ଏତଲା ଦେଇଛନ୍ତି ।

ଏତଲା ଆଧାରରେ ପୋଲିସ ହିତେଶଙ୍କ ସମେତ ଏହି ସଂସ୍ଥାର ଫ୍ରାଞ୍ଚାଇଜ ଆଣିଥିବା ଅକ୍ଷୟ କୁମାର ପତି ଓ ତାଙ୍କ ସ୍ତ୍ରୀ ରାଜଶ୍ରୀ ଦାଶଙ୍କୁ ମଧ୍ୟ ପୋଲିସ ଉଠାଇ ଆଣିଛି । ଅନ୍ୟ ହିତାଧିକାରୀଙ୍କୁ ମଧ୍ୟ ପୋଲିସ ପାଖରେ ଆସି ଅଭିଯୋଗ କରିବା ପାଇଁ ଅତିରିକ୍ତ ଏସପି ଜଣାଇଛନ୍ତି । ଏନେଇ ସାଲେପୁର ଥାନାରେ ଏକ ମାମଲା ରୁଜୁ ହେବା ସହ ହିତେଶ ଷଡ଼ଙ୍ଗୀ ଓ ଅକ୍ଷୟ ପତିଙ୍କୁ ଗିରଫ କରାଯାଇଛି ବୋଲି ମଧ୍ୟ ସେ ଜଣାଇଛନ୍ତି । ଆଗକୁ ଏହି ମାମଲାରେ ଆଉ ଯାହାର ସମ୍ପୃକ୍ତି ଆସିବ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଜଣାପଡ଼ିଛି ।