ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ

ଭୁବନେଶ୍ୱର: ଖରାରେ କାମ କରିବେନି ଶ୍ରମିକ। ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ମନା। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶାନାମା ଜାରି କରିଛି ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗ। ଏଥିପାଇଁ ବିହିତ ପଦକ୍ଷେପ ନେବା ପାଇଁ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି।

କାର୍ଯରତ ଶ୍ରମିକମାନଙ୍କୁ ଚଳିତ ଏପ୍ରିଲ ମାସରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୩.୩୦ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନ ଲଗାଇବାକୁ ବ୍ୟବସ୍ଥା କରାଯିବ। ଆବଶ୍ୟକ ସ୍ଥଳେ କାର୍ଯ୍ୟନିର୍ଘଣ୍ଟର ସମୟ ପରିବର୍ତ୍ତନ କରାଯାଇପାରିବ। ଶ୍ରମିକମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରାଯିବ।

ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା ସହ ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସା, ପ୍ରତ୍ୟେକ ଶ୍ରମିକ ପାଇଁ ଓଆରଏସ ପ୍ୟାକେଟ ରଖାଯିବ। ଜିଲ୍ଲାର ଚିକିତ୍ସାଧିକାରୀ, ଏସଡିଏମଓ, ପିଏଚସି, ସିଏଚସି ଗୁଡିକର ଚିକିତ୍ସାଧିକାରୀ ତଥା କର୍ମଚାରୀ ରାଜ୍ୟ ବୀମା ଯୋଜନା ଅଧୀନରେ ଥିବା ଚିକିତ୍ସାଳୟମାନଙ୍କର ଚିକିତ୍ସାଧିକାରୀମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପ ଜନିତ ପରିସ୍ଥିତିର ସମ୍ଭାବ୍ୟ ମୁକାବୁଲା ସହ ରୋଗୀମାନଙ୍କର ତତ୍ ସମ୍ବନ୍ଧୀୟ ରୋଗର ଚିକିତ୍ସା ପାଇଁ ସତର୍କ ରହିବାକୁ ଅନୁରୋଧ କରାଯାଉଛି।