spot_img

Latest Posts

ଆଜିଠୁ ଆଉ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ

ବ୍ୟୁରୋ ରିପୋର୍ଟ: ଆଜିଠୁ ଆଉ ୫ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ। ବରଗଡ଼, ବଲାଙ୍ଗୀର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ଏହି ୫ ଜିଲ୍ଲାରେ ଗମନାଗମନ କ୍ଷେତ୍ରରେ ଲେଖାହେବ ନୂଆ ଇତିହାସ। ଗ୍ରାମାଞ୍ଚଳରେ ଦୂର ହେବ ଯାତାୟାତ ସମସ୍ଯା। ଏହାକୁ ମିଶାଇ ରାଜ୍ଯର ମୋଟ ୧୪ ଜିଲ୍ଲାକୁ ପରିବ୍ଯାପ୍ତ ହେବ ଲକ୍ଷ୍ମୀ।

ଏହା ପୂର୍ବରୁ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, କୋରାପୁଟ, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଲକ୍ଷ୍ମୀ ସେବା ଆରମ୍ଭ ହୋଇସାରିଛି। ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଫାଇଭ-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ମୀ ବସ  ଗାଁର ଅର୍ଥନୀତିକୁ ମଜବୁତ କରିବାରେ ସହାୟକ ହେବ।

ପୂର୍ବରୁ ଗ୍ରାମାଞ୍ଚଳରେ ଗମନାଗମନର ବହୁ ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଏ ବିଷୟରେ ଜାଣି ନିଷ୍ପତ୍ତିକ୍ରମେ ଏହି ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରାଗଲା। ଗ୍ରାମାଞ୍ଚଳ ଲୋକମାନେ ସୁବିଧାରେ ଏବଂ କମ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସକୁ ବ୍ୟବହାର କରିପାରୁଛନ୍ତି। ଲକ୍ଷ୍ମୀ ବସ୍ ଲୋକଙ୍କୁ ଲୋକଙ୍କ ସହ ଯୋଡ଼ୁଛି । ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରୁଛି । ପିଲାଙ୍କୁ ସ୍କୁଲ କଲେଜ ନେବା , ଚାଷୀଙ୍କୁ ମାର୍କେଟ ସହିତ ଯୋଡିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛି । ମାଆ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍ ରେ ଯିବା ଆସିବା କରିପାରୁଛନ୍ତି ।

Latest Posts

Don't Miss