ଶ୍ରାବଣ ମାସରେ ବି ବର୍ଷାର ଅଭାବ: ନିଅଣ୍ଟିଆ ବର୍ଷା ରେକର୍ଡ ଜିଲ୍ଲାକୁ ମରୁଡ଼ି ଘୋଷଣା କରିବାକୁ ବିଶେଷଜ୍ଞଙ୍କ ମତ

ଭୁବନେଶ୍ୱର: ଶ୍ରାବଣ ମାସରେ ବି ବର୍ଷାର ଅଭାବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନାହିଁ । ଓୟୁଏଟିର ଆକଳନ ଅନୁଯାୟୀ, ୨୬ ଜିଲ୍ଲାର ୬୫ ବ୍ଲକରେ ନିଅଣ୍ଟିଆ ବର୍ଷା ଯୋଗୁ ସାଂଘାତିକ ସ୍ଥିତି ସୃଷ୍ଟି ହେଲାଣି । ସେପଟେ ବିଶେଷଜ୍ଞ କହିଲେଣି, ସରକାର ଆଉ ଡେରି ନକରି ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ଜିଲ୍ଲାକୁ ମରୁଡ଼ି ଭାବେ ଘୋଷଣା କରନ୍ତୁ । ଚାତକ ପରି ଆକାଶକୁ ଚାହିଁଛି ଚଷାପୁଅ । ଶ୍ରାବଣ ଅଧାହେଲା, ବର୍ଷା ନାହିଁ । ମୁଣ୍ଡରେ ହାତ ଦେଇ ବସିଛି। ତଳିଘରାରେ ଧାନ ପଡ଼ିଛି,ପାଣି ଅଭାବରୁ ଗଜା ହେଉନି । ରୋଇଥିବା ଧାନ ବି ଶୁଖିଗଲାଣି । ଏ ହେଉଛି ଚଳିତ ଖରିଫ ଋତୁର ବିକଳ ଚିତ୍ର । ଏ କେଉଁ ମରୁଡ଼ିପ୍ରବଣ ଜିଲ୍ଲା ନୁହେଁ, ପୁରୀ ଜିଲ୍ଲା ପିପିଲି ବ୍ଲକର ଦୃଶ୍ୟ । କେନାଲ ପାଣି କେଉଁଠି ପହଞ୍ଚୁଛି ତ ଆଉ କେଉଁଠି ପହଞ୍ଚୁନି । ତଳମୁଣ୍ଡରେ ପାଣି ଅଭାବରୁ ଚାଷୀମାନେ ଜମିଥିବା ବର୍ଷାଜଳକୁ ସିଆର କାଟି ତଳିଘରାରେ ଛିଞ୍ଚୁଛନ୍ତି । ଏପଟେ ପାଣିପାଗ ବିଶେଷଜ୍ଞ କହିଲେଣି, ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟ ରହିବନି କି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ନାହିଁ । ୧୫ ତାରିଖ ପରେ ବର୍ଷା ହେଲେ ବି ଚାଷୀର କାମରେ ଆସିବନି । ନିଅଣ୍ଟିଆ ବର୍ଷା ହେଉଥିବା ଜିଲ୍ଲାରେ ଆସନ୍ନ ମରୁଡ଼ି ସ୍ଥିତି ସରକାର ଘୋଷଣା କରନ୍ତୁ । ନହେଲେ ଚାଷୀଙ୍କ ମନୋବଳ ଭାଙ୍ଗିଯିବ । ଚଳିତବର୍ଷ ଖରିଫ ଋତୁରେ ୧୨୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ଉତ୍ପାଦନ ପାଇଁ କୃଷି ବିଭାଗ ଆକଳନ କରିଛି । କିନ୍ତୁ ନିଅଣ୍ଟିଆ ବର୍ଷା ଏହି ଲକ୍ଷ୍ୟକୁ ବାଟବଣା କରିଦେବ । ନିଅଣ୍ଟିଆ ବର୍ଷାକୁ ଦେଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କଣ୍ଟିଜେନ୍‌ସି ପ୍ଲାନ ପ୍ରସ୍ତୁତ କରିଛି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା କଥା, ନିଅଣ୍ଟିଆ ବର୍ଷା ଯୋଗୁ ଗୋଟିଏ କି ଦୁଇଟି ଜିଲ୍ଲା ନୁହେଁ, ୨୬ ଜିଲ୍ଲାର ୬୫ ବ୍ଲକରେ ଖରିଫ ଚାଷ ପ୍ରଭାବିତ ହେବ । ଚାଷୀମାନେ ୧୦୦ରୁ ୧୧୦ ଦିନିଆ ବିହନ ବୁଣନ୍ତୁ ।

ଏଥିସହିତ ପଢ଼ନ୍ତୁ: ତୃତୀୟ ପ୍ରବାହର ସଂକେତ! ଦେଶର ଆଠ ରାଜ୍ୟରେ ଅଧିକ ରହିଛି ଆର ଭ୍ୟାଲୁ

Leave a Reply