ଲଡ଼ୁରୁ ଆୟ ୫ଶହ କୋଟି, ବ୍ୟାଙ୍କରେ ଅଛି ୧୦ ଟନ୍ ସୁନା- ୧୬ ହଜାର କୋଟି ଟଙ୍କା

1 min read

ନନ୍ଦିଘୋଷ ବ୍ୟୁରୋ: ଲଡୁରୁ କୋଟି କୋଟି ଆୟ। ମନ୍ଦିରକୁ ଧନୀ କରୁଛି ଲଡୁ। ଭାରତରେ ରହିଛି ଅନେକ ପ୍ରସିଦ୍ଧ ମନ୍ଦିର । ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାର ତିରୁମାଳ ପର୍ବତରେ ଅବସ୍ଥିତ ତିରୁପତି ବାଲାଜୀଙ୍କ ମନ୍ଦିର। ଏଠାରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ତିରୁପତି ମନ୍ଦିରକୁ ଭାରତର ସବୁଠାରୁ ଧନୀ ମନ୍ଦିର ବୋଲି କୁହାଯାଏ। ଏଠାରେ ତିରୁପତି ବାଲାଜୀଙ୍କ ମୂର୍ତ୍ତିକୁ ଭେଙ୍କଟେଶ୍ୱର ସ୍ୱାମୀ କୁହାଯାଇଥାଏ। ଏହା ଭାରତର ମୁଖ୍ୟ ତୀର୍ଥ ସ୍ଥଳରୁ ଗୋଟିଏ। ତେବେ ଏହି ମନ୍ଦିରକୁ କାହିଁକି ଧନୀ ମନ୍ଦିର ବୋଲି କୁହାଯାଏ, ତାହା ଆପଣ ଜାଣିଛନ୍ତି କି? ତେବେ ଚାଲନ୍ତୁ ଜାଣିବା ଏହି ମନ୍ଦିର ସମ୍ବନ୍ଧରେ କିଛି ଅଲୌକିକ କାହାଣୀ।

ଭେଙ୍କଟେଶ୍ୱର ସ୍ୱାମୀଙ୍କ ପାଖରେ ଲଡୁ ଭୋଗ ଲାଗି ହୋଇଥାଏ। ଏହି ପ୍ରସାଦ ପାଇବା ପାଇଁ ଲୋକଙ୍କ ଭିତରେ ନାହିଁ ନଥିବା ଭିଡ ଦେଖିବାକୁ ମିଳେ । ସୂଚନା ଅନୁଯାୟୀ, ଚଳିତ ବର୍ଷ ଲଡୁରୁ ବାର୍ଷିକ ଆୟ ୫ଶହ କୋଟି ଟଙ୍କା ମିଳିପାରେ। ଏହାସହ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଶ୍ରଦ୍ଧାଳୁମାନେ ଏଠି ସୁନା, ରୂପା, ହୀରା, ଟଙ୍କା ଆଦି ଦାନ କରିଥାନ୍ତି । ବର୍ତ୍ତମାନ ବ୍ୟାଙ୍କରେ ମନ୍ଦିରର ୧୦ ଟନରୁ ଅଧିକ ସୁନା ଥିବା ବେଳେ ୧୬ ହଜାର କୋଟି ଟଙ୍କା ଅର୍ଥ ରାଶି ଜମା ହୋଇଛି।

କୁହାଯାଏ ଯେ, ତିରୁପତି ମନ୍ଦିରରେ ଭେଙ୍କଟେଶ୍ୱର ସ୍ୱାମୀଙ୍କ ରୂପରେ ସ୍ବୟଂ ବିଷ୍ଣୁ ବିରାଜମାନ ଅଛନ୍ତି । ଧାର୍ମିକ ମାନ୍ୟତା ଅନୁସାରେ, ମାତା ଲକ୍ଷ୍ମୀ ମଧ୍ୟ ଭଗବାନଙ୍କ ଏହି ରୂପରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି କାରଣ ଯୋଗୁଁ ପ୍ରଭୁଙ୍କୁ ଉଭୟ ପୁରୁଷ-ସ୍ତ୍ରୀଙ୍କ ପୋଷାକ ପରିଧାନ କରାଯାଇଥାଏ। ଭକ୍ତ ଏଠି ନିଜ ମନସ୍କାମନା ପୂରଣ  ପାଇଁ ମୁଣ୍ଡନ କରିଥାନ୍ତି।

ବାଲିଜୀ ମନ୍ଦିରର ଅନେକ ରୋଚକ ତଥ୍ୟ ରହିଛି । ସେଥି ମଧ୍ୟରୁ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଉପରେ ଯେଉଁ ଚୁଟି ଲାଗିଛି, ତାହା ଅସଲି ଏବଂ ଏହା କେବେବି ଅଡୁଆ ହୁଏ ନାହିଁ ବୋଲି କୁହାଯାଏ । ମାନ୍ୟତା ଅଛି ଯେ, ଭଗବାନଙ୍କ ମୂର୍ତ୍ତିରୁ ଝାଳ ବାହାରିଥାଏ । ଏଥିପାଇଁ ମନ୍ଦିରର ଗର୍ଭଗୃହରେ ତାପମାତ୍ରା କମ୍ ରଖାଯାଇଥାଏ।

ମନ୍ଦିର ଠାରୁ କିଛି ଦୂରରେ ଏକ ଗାଁ ରହିଛି । ସେହି ଗାଁର ଲୋକେ ଶୃଙ୍ଖଳିତ ଏବଂ ଅନୁଶାସିତ ଜୀବନଯାପନ କରିଥାନ୍ତି । ଏହି ଗାଁକୁ ବାହାର ଲୋକ ପ୍ରବେଶ କରିପାରିବେ ନାହିଁ । ଏହା ଉପରେ ନିଷେଦ୍ଧାଦେଶ ରହିଛି । ପ୍ରଭୁଙ୍କ ପାଖରେ ଲାଗି କରାଯାଉଥିବା  କଦଳୀ, କ୍ଷୀର, ଦହି, ସର ଆଦି ଏହି ଗାଁରୁ ଆସିଥାଏ । କୁହାଯାଏ ଯେ, ମନ୍ଦିରରେ ସବୁବେଳେ ଗୋଟିଏ ଦୀପ ଜଳି ରହିଥାଏ । ଏଥିରେ କେହି କେବେ ତେଲ କିମ୍ବା ଘିଅ ଢାଳି ନଥାନ୍ତି, ଦୀପ ମନକୁ ଜଳିରହୁଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏକଥା କେହି ଜାଣି ନହାନ୍ତି ଏହି ଦୀପ କେବେଠୁ ଜଳୁଛି ଓ କିଏ ଲଗାଇଛି ।