କମ୍ୟୁନିଟି ସେଣ୍ଟର ନାଁରେ ଘୋଟାଲା: ଫଲ୍ସ ବିଲ କରି ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଚଳୁ

କମ୍ୟୁନିଟି ସେଣ୍ଟର ନାଁରେ ଘୋଟାଲା । ଫଲ୍ସ ବିଲ କରି ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଚଳୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ପଞ୍ଚାୟତର ତମ୍ବାଖଣ୍ତି ଗାଁରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । କମ୍ୟୁନିଟି ସେଣ୍ଟର ନାଁରେ ଟଙ୍କା ହେରଫେର ହୋଇଥିବା ନେଇ ଗ୍ରାମବାସୀ ସରକାରୀ ପୋର୍ଟାଲରୁ ଜାଣିବା ପରେ ଏ ସଂକ୍ରାନ୍ତ କାଗଜପତ୍ରସବୁ ପ୍ରମାଣସ୍ବରୂପ ଡାଉନଲୋଡ କରିଛନ୍ତି । କେନ୍ଦ୍ରୀଯ ଯୋଜନାରେ ତମ୍ବାଖଣ୍ଡି ଗାଁରେ ଏକ କମ୍ୟୁନିଟି ସେଣ୍ଟର ପାଇଁ ୧ ଲକ୍ଷ ୨୬ ହଜାର ୮୨୪ ଟଙ୍କା ବ୍ୟୟ ବରାଦ ହୋଇଥିଲା । ହେଲେ ଗାଁରେ କୌଣସି କମ୍ୟୁନିଟି ସେଣ୍ଟର ପାଇଁ ମୂଳଦୁଆ ପଡିନଥିବା ବେଳେ ୧ ଲକ୍ଷ ୧୩ ହଜାର ୪ ଶହ ଟଙ୍କା ବିଲ ହୋଇସାରିଲାଣି । ଖୋଦ ଅରଣ୍ଡୁଆ ସରପଞ୍ଚଙ୍କ ଦସ୍ତଖତରେ ଏହି ବିଲ୍ ମଞ୍ଜୁର ହୋଇଥିବା ନେଇ ଅଭିଯୋଗ ହୋଇଛି।
ଗ୍ରାମବାସୀଙ୍କ ଖୋଳତାଡ଼ ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । କମ୍ୟୁନିଟି ସେଣ୍ଟରଟିକୁ ତମ୍ବାଖଣ୍ଡି ଗାଁର ଜଣେ ଆବାସ ହିତାଧିକାରୀ ପାଇଥିବା ଆବାସ ଘରକୁ ଦେଖାଇ ଅର୍ଥ ଲୁଟ କରାଯାଇଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଗାଁକୁ ନଯାଇ ଭଦ୍ରକରେ ରହି ମିଛ ବିଲ୍ କରି ସରକାରୀ ଅର୍ଥ ଲୁଟ କରିଥିବା ଅଭିଯୋଗ ହୋଇଛି । ଗୋଟିଏ ଘର ପାଇଁ ଦୁଇ ଥର ବିଲ କରି ଟଙ୍କା ହଡ଼ପ ହେଲା କିପରି ? ଏ ସଂପର୍କରେ କେହି ଜାଣି ପାରୁନାହାନ୍ତି କିପରି ? ସବୁଠାରୁ ବଡ କଥା ହେଲା ସମ୍ପୃକ୍ତ ଜଣେ ଆବାସ ହିତାଧିକାରୀଙ୍କର ଏକ ବିଶାଳ କୋଠାଘର ଥିବା ସତ୍ତ୍ବେ ପୁଣି ଥରେ ସେ କେମିତି ହାତେଇଥିଲେ ଆବାସ ଘର । ସେପଟେ ଅଭିଯୋଗ ଆସିଲେ ତଦନ୍ତ କରିବୁ କହିଛନ୍ତି ବିଡିଓ । ଦୁର୍ନୀତିକାରୀଙ୍କ ବିରୋଧରେ କାର୍ଯ୍ୟାଷ୍ଠାନ ନିଆଯିବ ନା ଅଭିଯୋଗକୁ ଫାଇଲ ତଳେ ଚାପି ଦିଆଯିବ ତାହା ଦେଖିବାକୁ ବାକି ରହିଲା ।