ବିଧାୟକଙ୍କ ଗିରଫ ପରେ ଫେରାର ସହଯୋଗୀ!: ଅନୁଗତଙ୍କ ଆକାଉଣ୍ଟରେ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଟ୍ରାଞ୍ଜାକସନ୍

1 min read

ଭୁବନେଶ୍ୱର: ଚାକିରି ନାଁରେ ଠକେଇ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଜେଲରେ । ପ୍ରଦୀପଙ୍କ ସହ ଯୋଡି ହୋଇଛନ୍ତି ବହୁ ଦେଶୀ ମଦ ମାଫିଆ, ବାଲି ମାଫିଆ ଓ ଚାକିରି ଦଲାଲ । ପ୍ରଦୀପଙ୍କ ସବୁ ଅପରାଧୀ କାର୍ଯ୍ୟକଳାପର ସୂତ୍ରଧର ସାଜିଥିବା ଏହି ଗୋଷ୍ଠୀ କୁଆଡ଼େ ଗଲେ ? ସେମାନେ ତଦନ୍ତ ପରିସରଭୁକ୍ତ ହେଲେଣି କି ? ପ୍ରଦୀପଙ୍କ ସହ ସେମାନଙ୍କ ଜାଲିଆତିର କ’ଣ ରହିଛି ରହସ୍ୟ ?

ଆପଣ ଯେଉଁ ବ୍ୟକ୍ତିଙ୍କୁ କଲ କରୁଛନ୍ତି ସେ ବର୍ତ୍ତମାନ ଉତ୍ତର ଦେଉନାହାଁନ୍ତି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଏକାନ୍ତ ସହଯୋଗୀ ସର୍ବେଶ୍ବର ରାଓଙ୍କୁ ଫୋନ କଲେ ଏଭଳି ଉତ୍ତର ଆସୁଛି । ପ୍ରଦୀପ ପାଣିଗ୍ରାହୀ ଗିରଫ ହେବା ପରଠାରୁ କେଉଁଆଡେ ଅନ୍ତର୍ଧାନ ହୋଇଯାଇଛନ୍ତି ସର୍ବେଶ୍ବର । ପାଠକ ବାପା-ପୁଅ ଗିରଫ ହେବା ପରେ ମଦ ମାଫିଆ ଓ ବାଲି ମାଫିଆଙ୍କ ସହ ପ୍ରଦୀପଙ୍କ ସମ୍ପର୍କର ଗୁମର ଫିଟିଲା । ସେମାନଙ୍କ ଆକାଉଣ୍ଟରୁ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଆସିଛି ମୋଟ ଅଙ୍କର ଟଙ୍କା ।

ସେମାନଙ୍କ ଠାରୁ କାହିଁକି ବିଧାୟକ ଟଙ୍କା ନେଇଥିଲେ । ସେ ଟଙ୍କା ପୁଣି କାହିଁକି ଆକାଶ ପାଠକଙ୍କୁ ଟ୍ରାନସଫର ହୋଇଛି । ବିଧାୟକଙ୍କ ଏଭଳି ସନ୍ଦେହଜନକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରିବା ସହ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କରିଛନ୍ତି । ଜଣେ ଇଂରାଜୀ ଅଧ୍ୟାପକରୁ ବିଧାୟକଙ୍କ ଦଲାଲ ସାଜିଥିବା ସର୍ବେଶ୍ବର କାହିଁକି ଫୋନ ଧରୁନାହାଁନ୍ତି ? ୨୦୧୧ ମସହା ଜାନୁୟାରୀ ୨୮ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସିଟି କଲେଜରେ ସର୍ବେଶ୍ବର ଅଧ୍ୟକ୍ଷ ଥିଲେ ଆଉ ସେତେବେଳେ ପ୍ରଦୀପ ଥିଲେ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ଏବଂ ସେବେଠାରୁ ପ୍ରଦୀପଙ୍କ ନିକଟତର ହୋଇଥିଲେ ସର୍ବେଶ୍ୱର ।

ପ୍ରଦୀପଙ୍କ ମାମଲାର ତଦନ୍ତ କରିବ ଭିଜିଲାନ୍ସ: ଲୋକାୟୁକ୍ତ ଦେଲେ ନିର୍ଦ୍ଦେଶ

ଗିରଫ ବିଧାୟକଙ୍କ ଅନ୍ୟ ସହଯୋଗୀମାନଙ୍କ ମଧ୍ୟ ମିଳୁନି ଦର୍ଶନ  । କୁଆଡେ ଗଲେ ଦେଶୀ ମଦ ମାଫିଆ ସୂର୍ଯ୍ୟ ସାହୁ, କମ୍ଭୁନାଥ ପାଣିଗ୍ରାହୀ, ସୂର୍ଯ୍ୟ ପେଟ୍ରୋଲ ପମ୍ପର ସୂର୍ଯ୍ୟ ସାହୁ । ଏମାନେ ବିଭିନ୍ନ ସମୟରେ ପ୍ରଦୀପଙ୍କ ହାତବାରିସୀ ସାଜି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିବା ପ୍ରମାଣ ମିଳିସାରିଛି । ପ୍ରଦୀପଙ୍କ ଏହି ଅନୁଗତମାନେ ଏବେ ଅଣ୍ଡଗ୍ରାଉଣ୍ଡ । ଦେଖନ୍ତୁ ଏହି ଭିଜୁଆଲକୁ, ମୋବାଇଲ କିପରି ରିଂଗ ହୋଉଛି କିନ୍ତୁ ଫୋନ ଉଠାଉନାହାନ୍ତି ସର୍ବେଶ୍ୱର ଓ ସୂର୍ଯ୍ୟ ସାହୁ । ଏହି ସହଯୋଗୀମାନେ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ  କଲେ ପ୍ରଦୀପ ଓ ଟାଟାର ନକଲି ଏମ୍.ଡିଙ୍କ ଠକାମୀ ଓ ଅପରାଧୀକ କାର୍ଯ୍ୟକଳାପର ବହୁ ତଥ୍ୟ ପର୍ଦାଫାସ ହୋଇପାରିବ ଆଉ ବେକାର ଯୁବକ ସେମାନଙ୍କ ଟଙ୍କା ଫେରି ପାଇବାର ବାଟ ବାହାରିପାରିବ ।

Leave a Reply