ମାଟି ଧସି ୧୦ ଫୁଟର ଗର୍ତ୍ତ, ଲୋକଙ୍କ ମଧ୍ୟରେ କୋକୁଆ ଭୟ
ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ହାଣ୍ଡିଧୂଆରେ ଧସିଲା ମାଟି । ଜମିରେ ମାଟି ଧସି ୧୦ ଫୁଟର ଗାତ ହୋଇଯାଇଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି ।
ସନ୍ଧ୍ୟା ସମୟରେ ହାଣ୍ଡିଧୂଆ ଅଞ୍ଚଳର କିଛି ଲୋକ ଶୌଚ ହେବାକୁ ଯାଇଥିବା ବେଳେ ହଠାତ ଏକ ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ସେମାନେ ଗ୍ରାମର ଅନ୍ୟ ଲୋକଙ୍କୁ ଜଣାଇଥିଲେ । ଶବ୍ଦ ହୋଇଥିବା ସ୍ଥାନକୁ ଯାଇ ଦେଖିବା ବେଳକୁ ଜମିରେ ୧୦ ଫୁଟ ଓସାରର ଏକ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ଘଟଣାସ୍ଥଳରେ ତାଳଚେର ଭୁଗର୍ଭ କୋଇଲା ଖଣିର କର୍ତ୍ତୃପକ୍ଷ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦବି ଥିବା ସ୍ଥାନରେ ବ୍ୟାରିକେଟ କରିଛନ୍ତି । ତେବେ ଏମସିଏଲ କୋଇଲା ଉତ୍ତୋଳନ ପରେ ସଠିକ ଭାବେ ବାଲି ଭର୍ତ୍ତି କରି ନଥିବାରୁ ଏଭଳି ସ୍ଥିତ ବାରମ୍ବାର ଉପୁଜୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

