ବିହାର ବିଧାନସଭା ନିର୍ବାଚନ ପାଇଁ ଗତ ୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ଆସନ୍ତା ୧୧ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ରାଜନୈତିକ ଦଳମାନେ ଜୋରଦାର ପ୍ରଚାରରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ଏହା ବଡ଼ ଘଟଣା ସାମ୍ନାକୁ ଆସିଛି । ସମସ୍ତୀପୁର ଜିଲ୍ଲାରେ ସରାୟରଞ୍ଜନ ବିଧାନସଭା କ୍ଷେତ୍ରର କେଏସଆର କଲେଜ ନିକଟରେ ସଡ଼କ କଡ଼ରେ ବହୁସଂଖ୍ୟକ VVPAT ପର୍ଚି ଏଣେତେଣେ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।
ଏହି ଘଟଣାକୁ ନେଇ ନିର୍ବାଚନୀ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗଙ୍କ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଛି ଆରଜେଡି । ଇଭିଏମରୁ ବାହାରୁ ଥିବା VVPAT ପର୍ଚି ମିଳିବା ନେଇ ଆରଜେଡି ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି । କେବେ, କିପରି ଓ କାହା ଇସାରାରେ ଏହି ପର୍ଚିଗୁଡ଼ିକୁ ଫିଙ୍ଗାଯାଇଛି ? ଚୋର ଆୟୋଗ କ’ଣ ଏହାର ଜବାବ ଦେବ? ବାହାରୁ ଆସି ବିହାରରେ ଡେରା ପକାଇଥିବା ଲୋକତନ୍ତ୍ରର ଡକାୟତଙ୍କ ନିର୍ଦ୍ଦେଶରେ କ’ଣ ଏହା ହେଉଛି ?
ମୁଖ୍ୟ ନିର୍ବାଚନ କମିଶନ (ସିଇସି) ଜ୍ଞାନେଶ କୁମାର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ବନ୍ଧିତ ସହାୟକ ରିଟର୍ଣ୍ଣିଂ ଅଫିସର (ଏଆରଓ)ଙ୍କୁ ଲାପରବାହୀ ଅଭିଯୋଗରେ ନିଲମ୍ବିତ କରିଛନ୍ତି । ଏଥିସହିତ ତାଙ୍କ ବିରୋଧରେ FIR ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତୀପୁର ଜିଲ୍ଲା ନିର୍ବାଚନ ଅଧିକାରୀ (ଜିଲ୍ଲାଧିକାରୀ)ଙ୍କୁ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବାକୁ ଓ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

