ଦୁର୍ଘଟଣାରେ ବାପା ଝିଅଙ୍କ ମୃତ୍ୟୁ, ଗୋଟିଏ ଜୁଇରେ ଜଳିଲା ବାପା ଝିଅଙ୍କ ମୃତଦେହ

ଜୟପୁର: ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ବାପା ଝିଅଙ୍କ ଜୀବନ । ଗୋଟିଏ ଜୁଇରେ ଜଳିଲା ବାପା ଝିଅଙ୍କ ମୃତଦେହ । ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଗତ ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏକ କାର୍ ଯୋଗେ ବିବାହ କାର୍ଯ୍ୟରୁ ଯୋଗ ଦେଇ ଫେରୁଥିଲା ବେଳେ ପରିବାରର ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ରାଜସ୍ଥାନର ପଚେଓ୍ବର ଗାଁର ଗମ୍ଭୀର ମଲ ଜୈନ ନିଜ ପରିବାର ସହ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ବାଜୋଲାବ ଗାଁ ନିକଟରେ କାରଟି ନିୟନ୍ତ୍ରଣ ହରାଇ ପୋଲ ବାଡାରେ ପିଟି ହୋଇଯାଇଥିଲା ।

ଦୁର୍ଘଟଣା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ଗାଡ଼ି ଚଳାଉଥିବା ଗମ୍ଭୀର ମଲ ଜୈନ ଓ ପଛରେ ବସିଥିବା ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି କାରରୁ ସମସ୍ତଙ୍କୁ ବାହାର କରି ମେଡିକାଲ ପଠାଇଥିଲେ । ମେଡିକାଲରେ ଡାକ୍ତର ବାପା ଝିଅଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧିନ ଅଛନ୍ତି ।

ଉଭୟ ବାପା ଝିଅଙ୍କ ଜୁଇ ଏକା ସହ ଜଳିଛି  । ଏହି ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଗମ୍ଭୀର ମଲ ଜୈନଙ୍କ ଆଖି ଲାଗି ଯାଇ ଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।