ଗର୍ଜୁଛି ବନ୍ଧୁକ, ଫୁଟୁଛି ଗୁଳି: ଅଶାନ୍ତ ରାଜଧାନୀ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱରରେ ଡବଲ ମର୍ଡର । ସରକନ୍ତରାରେ ଫାୟାରିଂ ଆଉ ଚୁନୁକୋଳି ବସ୍ତିରେ ପଥରରେ ଛେଚି ହତ୍ୟା । ଦୁଇଟି ମର୍ଡର କେସରେ ବ୍ୟାକଫୁଟରେ ଥିବା ପୋଲିସ ପାଇଁ ଚିନ୍ତା ବଢ଼ାଇଛନ୍ତି ନିଶାଡ଼ୀ । ମୋବାଇଲ ଲୁଟିବା ପାଇଁ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ଦ୍ବିତୀଚନ୍ଦ୍ର ସାହୁ ।
ଗର୍ଜୁଛି ବନ୍ଧୁକ, ଫୁଟୁଛି ଗୁଳି । ଗଡୁଛି ମୁଣ୍ଡ, ରକ୍ତ ରଞ୍ଜିତ ଗାଁ ଦାଣ୍ଡ । ଚୁନୁକୋଳି ବସ୍ତିରେ ବିଭତ୍ସ ହତ୍ୟା । ପଦାରେ ପଡିଲା ପୋଲିସର ପାରିବାପଣିଆ । ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଗାଁ । ସକାଳୁ ସକାଳୁ ଠିକ ଏହି ସ୍ଥାନରେ ଶୁଭିଥିଲା ଭୀଷଣ ଶବ୍ଦ । ଫୁଟିଥିଲା ୪ ରାଉଣ୍ଡ ଗୁଳି । ୨ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳିପଡିଥିଲେ ଗାଁର ଯୁବକ ସୁଧାଂଶୁ ଖୁଣ୍ଟିଆ । ଜମିବାଡ଼ି ବିବାଦ ପାଇଁ ମୃତକଙ୍କ ଭାଇ ଗୁଳିମାଡ଼ କରିଥିବା ଜାଣିବାକୁ ପାଇଛି ପୋଲିସ । ସାଇଣ୍ଟିଫିକ ଟିମ, ଖଣ୍ଡଗିରି ଥାନା ପୋଲିସ, ତମାଣ୍ଡୋ ଥାନା ପୋଲିସ କରୁଛି ଛାନବିନ । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ଗୁଳିକାଣ୍ଡ ଘଟିବା ପରେ ସେହି କଥାକୁ ନେଇ ସାହି ଭିତରେ ଦେଖାଯାଇଛି ତୀବ୍ର ଉତ୍ତେଜନା ।
ଏହି ଗୋଟିଏ ଘଟଣା ନୁହେଁ, ଚୁନୁକୋଳି ବସ୍ତିରେ ରବିବାର ବିଳମ୍ବିତ ରାତିରେ ଘଟିଛି ବିଭତ୍ସ ହତ୍ୟା । ପଥରରେ ଛେଚି ଜଣଙ୍କୁ ମାରିଛନ୍ତି ଦୁର୍ବୃତ୍ତ । ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ସରଜମିନ ଯାଞ୍ଚ କରିଛି । ମୃତକ ଜଣଙ୍କ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ଡବଲ ମର୍ଡରକୁ ନେଇ ବ୍ୟାକଫୁଟରେ ଥିବା ପୋଲିସ ପାଇଁ ଆହୁରି ଚିନ୍ତା ବଢ଼ାଇଛନ୍ତି ଛିନତାଇ ଗ୍ୟାଙ୍ଗ । ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ଭୁବନେଶ୍ବର ଷ୍ଟେସନ ୬ ନମ୍ବର ପ୍ଲାଟଫର୍ମରେ ହୋଇଛି ଆକ୍ରମଣ । ସାମାନ୍ୟ ମୋବାଇଲ ଛଡାଇ ନେବା ପାଇଁ କାଠ ଫାଳିଆରେ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ଦୁର୍ବୃତ୍ତ ।
କ୍ରିମିନାଲଙ୍କ ଅନ୍ତୁଡ଼ିଶାଳ ପାଲଟିଛି ଭୁବନେଶ୍ୱର । ଅପରାଧୀଙ୍କ ହଲ୍ଲାବୋଲ ଯୋଗୁଁ ଅଣନିଶ୍ୱାସୀ ହୋଇପଡିଛି ପୋଲିସ । ଏସବୁରେ ଲଗାମ ଲଗାଇବା ଏବେ କମିଶନରେଟ ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ ।