ବିଜେପିରେ ଦକ୍ଷତାକୁ ସମ୍ମାନ ନୁହେଁ, ମିଳେ ବିଶ୍ବାସଘାତକତା

ଭୁବନେଶ୍ବର: ରାଜ୍ୟ ବିଜେପି । କଥା ଗୋଟେ, ଆଉ କାମ ଗୋଟେ । ସ୍ବାର୍ଥ ହାସଲ ପରେ ନେତା ଓ ଜନତାଙ୍କୁ ଭଣ୍ତାଇ ଦିଏ । କାହାର ନେତୃତ୍ବ ଦକ୍ଷତା ଦେଖେ ନାହିଁ ରାଜ୍ଯ ବିଜେପି । ଏହି ଅଭିଯୋଗ କରି ଦଳକୁ ବାଏ ବାଏ କଲେଣି ଡଜନେ ନେତା । କାହା ସହ ରାଜ୍ଯ ବିଜେପି ବିଶ୍ବାସଘାତକତା କରିଛି, ତ ଆଉ କାହା ଦକ୍ଷତାକୁ ସମ୍ମାନ ଦେଇନାହିଁ । ନିର୍ବାଚନ ସମୟରେ ବିଜେପି ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଛନ୍ତି ଅନେକ ନେତା । ଯାହା ପଦ୍ମ ଶିବିରରେ ବଢ଼ାଇଛି ଟେନସନ ।

ଧାମନଗରର ରାଜୁ ଦାସ, ସତ୍ୟବାଦୀର ରମାରଞ୍ଜନ ବଳିୟାରସିଂ, ବରୀର ଦେବାଶିଷ ନାୟକ, ନାରୀନେତ୍ରୀ ସୋନାଲି ସାହୁ ଓ ରାଧାରଣୀ ପଣ୍ଡା । ଏମାନଙ୍କୁ ଠକି ଦେଇଛି ବିଜେପି । ରାଜନୈତିକ ସ୍ବାର୍ଥ ହାସଲ କରି ବିଜେପି ଏମାନଙ୍କ ବିଶ୍ବାସରେ ବିଷ ଦେଇଛି । ଯେଉଁଥି ପାଇଁ ଏମାନେ ଦଳ ଛାଡ଼ିଛନ୍ତି । ନିର୍ବାଚନରେ ଏହି ନେତାମାନେ ବିଜେପିର ଅସଲ ଚେହେରା ଲୋକଙ୍କୁ ବୁଝାଇବାକୁ ଅଣ୍ଟା ଭିଡ଼ିଛନ୍ତି । ବିଜେପିରେ ଥିବାବେଳେ ଏହି ନେତାମାନଙ୍କୁ ଦଳ ଟିକେଟ ଦେଲା ନାହିଁ କି ସେମାନଙ୍କ ନେତୃତ୍ବ ଦକ୍ଷତାକୁ ସମ୍ମାନ ଦେଲାନାହିଁ । ଯେଉଁଥି ପାଇଁ ଦଳ ଛାଡ଼ିଥିବା ଏହି ଚର୍ଚ୍ଚିତ ନେତାମାନେ ବିଜେପି ବିରୋଧରେ ବିଷ ଉଗାରିଛନ୍ତି । ଗାଁ ଗାଁରେ ବିଜେପି ବିରୋଧରେ ଜନମତ ସୃଷ୍ଟି ସହ, କାମ ସରିଗଲେ ବିଜେପି କିପରି ଭଣ୍ଡାଏ, ଏମାନେ ଲୋକଙ୍କୁ ଅବଗତ କରାଇବେ ।

ନିର୍ବାଚନରେ ବିଜେପି ବିଭିନ୍ନ ଗ୍ୟାରେଣ୍ଟି କଥା କହି ଲୋକଙ୍କ ମନ ଜିଣିବାକୁ ପ୍ରୟାସ କରୁଥିବା ବେଳେ ଦଳରେ ଅଣନିଃଶ୍ବାସ ହୋଇ ଦଳ ଛାଡ଼ିବା ଧାରା ଜାରି ରହିଛି । ସ୍ବାର୍ଥପର ଗୁଣ ପାଇଁ ଆଗକୁ ବହୁ ତୃଣମୂଳ ନେତା ଦଳ ଛାଡ଼ିବେ ବୋଲି କହିଛନ୍ତି । ଏହି ଅସନ୍ତୁଷ୍ଟ ନେତାମାନେ ବିଜେପି ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବା ଆଶଙ୍କା ରହିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପି ମଙ୍ଗୁଆଳମାନେ ଏ ବିଷୟରେ ଚିନ୍ତା ନକଲେ ଦଳର ସବୁ ନିର୍ବାଚନୀ ଅଙ୍କ ଗଡ଼ବଡ଼ ହେବା ଆଶଙ୍କା ରହିଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ୩ ଜଣ ଆଗ ଧାଡ଼ିର ନେତା ବିଜେପି ଛାଡ଼ିଛନ୍ତି । ଯାହା ରାଜ୍ୟ ସଂଗଠନକୁ ଝଟକା ଦେଇଛି । ବିଜେପି ଛାଡ଼ିଥିବା ନେତାଙ୍କ ମଧ୍ୟରୁ ଅଧିକାଂଶ ବିଜେଡିରେ ମିଶିଛନ୍ତି । ଯାହା ବିଜେପିର ଚିନ୍ତା ବଢ଼ାଇଛି ।