ଚିତାକୁ ଗଛରୁ ଓହ୍ଲାଇଲେ ଫରେଷ୍ଟର, ଭିଡିଓ ଭାଇରାଲ

1 min read

ଆସାମ: ଜନବସତିରେ ଥିବା ଏକ ଗଛରେ ଚଢ଼ିଥିବା ଚିତାକୁ ନିଜେ ଓହ୍ଲାଇଛନ୍ତି ଜଣେ ଫରେଷ୍ଟର । ଆପଣଙ୍କୁ ଏହି କଥା ଟିକେ ଅଡୁଆ ଲାଗୁଥାଇପାରେ । କାରଣ ଚିତାବାଘ ଏକ ହିଂସ୍ର ପ୍ରାଣୀ । ମଣିଷ ତା’ ପାଖକୁ ଯିବାକୁ ବି ସାହସ କରେନି । ଏଠି କିନ୍ତୁ ଏହି ବିଷୟ ଟିକେ ଆଶ୍ଚର୍ଯ୍ୟ କଲାପରି ଲାଗୁଛି । ଗଛରେ ଫସିଥିବା ଗୋଟେ ଚିତାବାଘକୁ ନିଜେ ଗଛରୁ ଓହ୍ଲାଇଛନ୍ତି ଫରେଷ୍ଟର । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଘଟଣା ଘଟିଛି ଆସାମରେ । ଆସାମର ଗୋହାଟି ଅଞ୍ଚଳର ଏକ କଲୋନିରେ ଥିବା ଗଛରେ ବାଘଟି ଫସି ରହିଥିଲା । ଲୋକେ ବାଘକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ତା’ ପରେ ବନ ବିଭାଗ ସେଠାରେ ପହଞ୍ଚି ଅପରେସନ୍ ଆରମ୍ଭ କରିଦେଇଥିଲେ ।

ଅପରେସନର ପୂରା ଭିଡିଓ ଆସାମ ବନ ବିଭାଗ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖାଯାଉଛି ଯେ, ଜଣେ ବନ ବିଭାଗ ଅଧିକାରୀ ଗଛ ଉପରେ ଚଢ଼ି ବାଘକୁ ସେଠାରୁ ଓହ୍ଲାଉଛନ୍ତି । ଅତି ସାହସର ସହ ସେ ଏହି କାମ କରୁଥିବାରୁ ଏହି ଭିଡିଓ ସୋସିଆଲ ମିଡିଆ ୟୁଜରଙ୍କ ମନକୁ ଛୁଇଁଛି । ଏହାକୁ ଅଧିକରୁ ଅଧିକ ସେୟାର ଏବଂ ରିଟ୍ବିଟ କରିବା ସହ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ସହ ବନ ବିଭାଗ ଆଉ ଗୋଟେ ଭିଡିଓ ବି ସେୟାର କରିଛନ୍ତି । ଯେଉଁଥିରେ ଦେଖାଯାଉଛି ଯେ, ରେସ୍କ୍ୟୁ ଅପରେସନକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼ ଜମିଛି । ଏବଂ କିଛି ବନ ବିଭାଗ ଅଧିକାରୀ ଗଛ ତଳେ ଜାଲ ଧରି ଠିଆ ହୋଇଛନ୍ତି । ଅତି ସାବଧାନର ସହ ଅଧିକାରୀମାନେ ବାଘକୁ ଗଛରୁ ରେସ୍କ୍ୟୁ କରୁଛନ୍ତି ।

ମିଳିଥିବା ଖବର ଅନୁସାରେ ବାଘକୁ ରେସ୍କ୍ୟୁ ପରେ ଚିକିତ୍ସା କରାଯାଇ ପ୍ରାଣୀ ଉଦ୍ୟାନରେ ଛଡ଼ାଯାଇଛି ।