ବନୀକରଣ ପାଇଁ ବର୍ଣ୍ଣମାଳା ଉଦ୍ୟାନ

ନନ୍ଦିଘୋଷ ବ୍ୟୁରୋ: ନବରଙ୍ଗପୁରରେ ବନୀକରଣ ପାଇଁ ବର୍ଣ୍ଣମାଳା ଉଦ୍ଯାନ । ଉଦ୍ଯାନରେ ଓଡିଆ ଅକ୍ଷର  ‘ଅ’ ଠାରୁ ‘ଲ’ ପର୍ଯ୍ୟନ୍ତ ଲାଗିଛି ଗଛ । ଜିଲ୍ଲାର ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ଯରେ ଗଛ ଲଗାଯାଇଛି ଯାହାର ସୁନ୍ଦର ପ୍ରତିଫଳନ ଦେଖିବାକୁ ମିଳିଛି କୋଡ଼ିଙ୍ଗା ବନାଞ୍ଚଳ ଅନ୍ତର୍ଗତ ଫାର୍ସାଗୁଡ଼ାରେ । ଯାହାକି ରାଜ୍ୟରେ ଏକ ଉଦାହରଣ ସୃଷ୍ଟି କରିଛି । ବର୍ତ୍ତମାନ ପରିବେଶବିତମାନଙ୍କ ପାଇଁ ଗବେଷଣାର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ‘ବର୍ଣ୍ଣମାଳା’ଉଦ୍ୟାନ।

ବନୀକରଣ ପାଇଁ ବର୍ଣ୍ଣମାଳା ଉଦ୍ଯାନ । ଉଦ୍ଯାନରେ ଓଡିଆ ଅକ୍ଷର ‘ଅ’ ଠାରୁ ‘ଲ’ ପର୍ଯ୍ଯନ୍ତ ଲାଗିଛି ଗଛ । ଦେଖନ୍ତୁ ଏ ହେଉଛି “ଅ “… ଏଠାରେ ଲାଗିଛି ଅଁଳା, ଅର୍ଜୁନ, ଅଗସ୍ତି ଭଳି ଗଛ । “ଆ ” ରେ ଲାଗିଛି ଆମ୍ବ, ଆତ ଓ ଆମ୍ବଡା ଭଳି ଗଛ.. ସେହିଭଳି “କ ” ରେ ଲାଗିଛି କଇଁଥ, କଦମ୍ବ, କରଞ୍ଜ ଭଳି ଗଛ.. ଆଉ ସବା ଶେଷରେ “ଲ” ରେ ଲାଗିଛି ଲଙ୍କାଆମ୍ବ ଓ ଲକ୍ଷ୍ମଣ ଫଳ ଗଛ… କହିବାର ତାତ୍ପର୍ଯ୍ୟ ଉଦ୍ୟାନରେ ଯୁଆଡେ ଦେଖିଲେ ଖାଲି ଓଡ଼ିଆ ବର୍ଣ୍ଣମାଳା ସଦୃଶ୍ୟ ଗଛ । “ଅ” ରୁ “ଲ” ପର୍ଯ୍ୟନ୍ତ ଗଛ ଲଗାଇ ବର୍ଣ୍ଣମାଳା ଶିକ୍ଷା ଦେବାକୁ ଚେଷ୍ଟା କରିଛି ନବରଙ୍ଗପୁର ବନବିଭାଗ । ପ୍ରାୟ ୩୦ ଏକର ଜମିରେ ନିର୍ମାଣ କରାଯାଇଛି ଏହି ଓଡ଼ିଆ “ବର୍ଣ୍ଣମାଳା ଉଦ୍ୟାନ” । ଗତବର୍ଷ କୋଡିଙ୍ଗା ବନାଞ୍ଚଳ ଅଧୀନରେ ସହରାଞ୍ଚଳ ବନିକରଣ ଯୋଜନା ମାଧ୍ୟମରେ ୧୨ ହଜାର ଗଛ ଲଗାଇବାକୁ ଅନୁମତି ଦିଆଯାଇଥିଲା । ଫାର୍ସାଗୁଡାଠାରେ ଏହି ଉଦ୍ଯାନ ନିର୍ମାଣ କରିବାକୁ କୋଡିଙ୍ଗା ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନନ୍ଦ ପରିକଳ୍ପନା କରିବା ସହ ଡିଏଫଓଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ ଏହା କରାଯାଇଛି ।

ଉଦ୍ୟାନରେ ବର୍ଣ୍ଣମାଳା ଅକ୍ଷର ବ୍ୟତୀତ ପୁରାଣ, ସଂସ୍କୃତ ଶ୍ଲୋକ ଅନୁସାରେ ଅନେକ ଗଛ ଲାଗିଛି । ଯେଭଳି “ସ୍କନ୍ଦ ପୁରାଣ” ରେ ବର୍ଣ୍ଣିତ ହୋଇଥିବା ଏକ ଶ୍ଲୋକରେ ନାମିତ ଥିବା ବର, ଅଶ୍ବତ୍ଥ, ଆମ୍ବ, ତେନ୍ତୁଳି, ବେଲ, ଅଁଳା, ନିମ ଆଦି ୮ ପ୍ରକାର ବୃକ୍ଷ ଲଗାଯାଇଛି । ତା ସହିତ ବିଦେଶୀ ଓ ଦେଶୀ ଫଳ, ଫୁଲ, ମସଲା ଜାତ ବୃକ୍ଷ ରୋପଣ ହୋଇଛି । ସେହିପରି ଉଦ୍ୟାନ ଭିତରେ ନିର୍ମିତ ଘରର କାନ୍ଥରେ କୌଣସି ରଙ୍ଗ ଦିଆଯାଇ ନାହିଁ । କାନ୍ଥ ସାରା ୧୨୦ ଟି ବର୍ଣ୍ଣାକ୍ଷର ଚିତ୍ରଣ କରାଯାଇଛି । ଆଜିର ଯୁବ ପିଢ଼ି  ଓଡିଆ ଭାଷା ଠାରୁ ଦୂରରେ ରହୁଥିବା ବେଳେ  ଏହି ଘରରେ ଚିତ୍ରିତ ଓଡିଆ ବର୍ଣ୍ଣମାଳା ନିଶ୍ଚିତ ଭାବେ ଆଜିକାର ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷା ପ୍ରତି ଆକୃଷ୍ଟ କରିବ ବୋଲି ଆଶା କରିଛନ୍ତି ବିଭାଗୀୟ ଅଧିକାରୀ । ନବରଙ୍ଗପୁର ବନ ବିଭାଗର ଏହି ନିଆରା ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।