କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ବିପର୍ଯ୍ୟୟ ତାଲିକାରେ ନାହିଁ ବଜ୍ରପାତ

ଭୁବନେଶ୍ୱର: ରାଜ୍ୟରେ ବଜ୍ରପାତରେ ବର୍ଷକୁ ପ୍ରାୟ ୩ଶହ ଜୀବନ ଯାଉଛି। ବଜ୍ରପାତରେ ମୃତ୍ୟୁ ହେଲେ ରାଜ୍ୟ ସରକାର ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେଉଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ବିପର୍ଯ୍ୟୟ ତାଲିକାରେ ବଜ୍ରପାତ ନାହିଁ। ତେଣୁ ମୃତକଙ୍କ ପରିବାର  କେନ୍ଦ୍ରୀୟ ଅନୁକମ୍ପା ରାଶି ପାଉ ନାହାନ୍ତି। ଓଡ଼ିଶା ଭଳି ରାଜ୍ୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କେନ୍ଦ୍ର ସରକାର ଗୁରୁତ୍ୱ ଦେବାକୁ ପୁଣି ସ୍ୱର ଉଠିଛି।…

୨୦୧୭ରେ ୪୭୫ଜଣ। ୨୦୧୮ରେ ୩୨୭ । ୨୦୧୯ରେ ୩୦୪ । ୨୦୨୦ରେ ରାଜ୍ୟରେ ୨୮୨ଜଣ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ମଧ୍ୟରୁ ବଜ୍ରପାତ ମୃତ୍ୟୁ ୨୫ ପ୍ରତିଶତ। ୨୦୧୫ ମସିହାରୁ ରାଜ୍ୟ ବିପର୍ଯ୍ୟୟ ତାଲିକାରେ ଏହା ସାମିଲ ହୋଇଛି। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେଉଛନ୍ତି। ଓଡ଼ିଶା ସମେତ ଆଉ କିଛି ରାଜ୍ୟରେ ମଧ୍ୟ ବଜ୍ରପାତକୁ ବିପର୍ଯ୍ୟୟ ଘୋଷଣା କରାଯାଇଛି। ହେଲେ କେନ୍ଦ୍ର ସରକାର ଏଯାଏଁ ବିପର୍ଯ୍ୟୟ ତାଲିକାରେ ବଜ୍ରପାତକୁ ସ୍ଥାନ ଦେଇନାହାନ୍ତି। ଚିକିତ୍ସା ଓ ମୃତ୍ୟୁକାଳୀନ ସହାୟତା କେନ୍ଦ୍ରରୁ ମିଳୁନାହିଁ। ଏହାକୁ କେନ୍ଦ୍ର ସରକାର ତୁରନ୍ତ ବିଚାର କରିବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି।

ଗତବର୍ଷ ଓଡ଼ିଶାରେ ୧୪ଲକ୍ଷ ୮୩ହଜାର ଥର ବଜ୍ରପାତ ହିଟ୍ କରିଥିଲା। ଏହା ଦେଶରେ ସର୍ବାଧିକ। ଓଡ଼ିଶା ସହିତ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଅଧିକ ବଜ୍ରପାତପ୍ରବଣ ରାଜ୍ୟ। ଓଡ଼ିଶାର ୬ଟି ସ୍ଥାନରେ ବଜ୍ରପାତର ଆଗୁଆ ସୂଚନା ପାଇଁ ସେନ୍ସର ଲଗାଯିବା ପରେ ମୃତ୍ୟୁସଂଖ୍ୟା କମୁଥିଲେ ମଧ୍ୟ ବଜ୍ରପାତକୁ ରାଜ୍ୟର ତୃତୀୟ ମୁଖ୍ୟ ବିପର୍ଯ୍ୟୟ ଭାବେ ଗଣାଯାଉଛି।

ବଜ୍ରପାତ ହେବାର ୪୫ ମିନିଟ୍ ପୂର୍ବରୁ ସେନ୍ସର ସୂଚନା ଦେଇଥାଏ। ଏହାପରେ ବିପର୍ଯ୍ୟୟ ପରିଚାଳନାର ଜରୁରୀ କେନ୍ଦ୍ରରୁ ତୁରନ୍ତ ବଜ୍ରପାତ ହେବାକୁ ଥିବା ଅଂଚଳରେ ଏସ୍‌ଏମ୍‌ଏସ୍ ଜରିଆରେ ସତର୍କ ସୂଚନା ଦିଆଯାଉଛି। ଏହାଦ୍ୱାରା ଯଦିଓ କାଜୁଆଲିଟି କମା ଯାଇ ପାରିଛି, ହେଲେ ବଜ୍ରପାତକୁ କେନ୍ଦ୍ର ବିପର୍ଯ୍ୟୟ ତାଲିକାରେ ସାମିଲ କଲେ ଅଧିକ ସୁବିଧା ହେବ। ଏପରିକି ବନ୍ୟା, ବାତ୍ୟା ପରି ବଜ୍ରପାତ ପ୍ରବଣ ଅଂଚଳ ଚିହ୍ନଟ କରି ସେସବୁ ଜାଗାରେ ବଜ୍ରପାତ ନିରୋଧ କେନ୍ଦ୍ର ସ୍ଥାପନ କରିବାକୁ ବିଶେଷଜ୍ଞ ଦାବି କରିଛନ୍ତି।

୨୦୧୭ରେ ସାରା ଦେଶରେ ୨ହଜାର ୯୯୧ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ତାହା ୧୭୭୧ରେ ପହଂଚିଛି। ସେହିପରି ଗତ ୫ବର୍ଷରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୧୦ ଜଣ ବଜ୍ରପାତ ଜନିତ ଅନୁକମ୍ପା ରାଶି ପାଇଥିବା ବେଳେ କେନ୍ଦୁଝରରେ ୧୫୧ ଏବଂ ଗଞ୍ଜାମରେ ୧୪୪ଜଣ ସହାୟା ପାଇଛନ୍ତି।

Leave a Reply