spot_img

Latest Posts

ବଜ୍ରପାତ ମୃତ୍ୟୁକୁ ନେଇ ଚିନ୍ତା, ୫ ବର୍ଷରେ ଓଡି଼ଶାରେ ୧୧୦୩ ମୃତ୍ୟୁ

ଭୁବନେଶ୍ବର: ବଜ୍ରପାତ ମୃତ୍ୟୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଅପେକ୍ଷାକୃତ ଭାବେ ଓଡ଼ିଶାରେ ଅଧିକ ବଜ୍ରପାତ ମୃତ୍ୟୁ ହେଉଛି। ୫ ବର୍ଷରେ ଓଡ଼ିଶାରେ ବଜ୍ରପାତ ନେଇଛି ୧୧୦୩ ଜୀବନ। ଉତ୍ତରପ୍ରଦେଶ ଓଡ଼ିଶାଠାରୁ ୫ ଗୁଣା ବଡ଼ ହୋଇଥିଲେ ମଧ୍ୟ ସେଠାରେ ମାତ୍ର ୫୪୨ ଜଣଙ୍କ ମୃତ୍ୟୁ ହୋଇଛି। ଖଣି ଥିବାରୁ ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ଵରରେ ଅଧିକ ବଜ୍ରପାତ ମୃତ୍ୟୁ ହେଉଛି । ଏହାର ସ୍ଥାୟୀ ନିରାକରଣ ବ୍ୟବସ୍ଥା ନାହିଁ । ବିଲରେ ଓ ପାଣିରେ କାମ କରୁଥିବା ବେଳେ ଲୋକେ ଅଧିକ ବଜ୍ରପାତର ଶିକାର ହୋଇଥାନ୍ତି। ୨୦୧୫ ଏପ୍ରିଲରେ ରାଜ୍ୟ ସରକାର ବଜ୍ରପାତକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦିଆଯାଉଛି। ବଜ୍ରପାତକୁ ରୋକିବାକୁ ବ୍ୟାପକ ତାଳଗଛ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜସ୍ଵ ବିଭାଗ ଜଙ୍ଗଲ ଓ ପରିବେଶ ବିଭାଗକୁ ୭ କୋଟି ଟଙ୍କା ଦେଇଛି। ସତର୍କ ଆପ୍ ଜରିଆରେ ଲୋକଙ୍କୁ ବଜ୍ରପାତର ପ୍ରାକ୍ ସୂଚନା ଦେବାର ବ୍ୟବସ୍ଥା ହୋଇଛି। ବଜ୍ରପାତରେ ମୃତ୍ୟୁ ହେଲେ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଦାବି କରିଥିଲେ ବିଜେଡିର ଅଶ୍ଵିନୀ ପାତ୍ର। ଉତ୍ତରରେ ରାଜସ୍ଵ ମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟକୁ 2300 କୋଟି ଦେଇଛନ୍ତି କେନ୍ଦ୍ର ସରକାର। 200 କୋଟି କ୍ଷତିପୂରଣ ପାଇଁ ରଖାଯାଇଛି। କ୍ଷତିପୂରଣ ରାଶି ବୃଦ୍ଧିର ଆବଶ୍ୟକତା ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ। କେନ୍ଦ୍ର ପର୍ଯ୍ୟାପ୍ତ ଅର୍ଥ ଦେଉଥିବାରୁ ପୁନର୍ବିଚାର କରି ପାଣ୍ଠି ଅନୁସାରେ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ସୁରେଶ ପୂଜାରୀ। ଏହା ସହିତ ବଜ୍ରପାତ ସଠିକ ପୂର୍ବାନୁମାନ ପାଇଁ ସମ୍ବଲପୁର ଓ ବାଲେଶ୍ଵରରେ ରାଡାର ଲଗାଯାଉଛି ବୋଲି କହିଛନ୍ତି ସୁରେଶ ପୂଜାରୀ।

Latest Posts

Don't Miss