କରୋନା ଟିକାକୁ ନେଇ କାଲି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

1 min read
Likely CM Naveen Patnaik Make Big Announce Over Covid Vaccine Tomorrow

ଭୁବନେଶ୍ୱର: ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଲାଗି ଟିକାକରଣ ଆରମ୍ଭ ହେବ । ଇତି ମଧ୍ୟରେ ଦେଶରେ ଟିକା ଯୋଗାଉଥିବା ୨ କମ୍ପାନୀ ଭ୍ୟାକ୍ସିନର ଦର ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଟିକାକରଣ ନେଇ ନୂଆ ଗାଇଡଲାଇନ୍ ଆଣିବା ପରେ ରାଜ୍ୟ ସରକାର ନୂଆ ରଣନୀତି ପ୍ରସ୍ତୁତି କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲି ଟିକା ଦରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସରକାରୀ, ବେସରକାରୀ ଡାକ୍ତରଖାନାରେ ଟିକା ଦର ନେଇ କାଲି ନିଷ୍ପତ୍ତି ନିଆଯିବ ।

 Likely CM Naveen Patnaik Make Big Announce Over Covid Vaccine Tomorrow

ଅନ୍ୟପଟେ ୧୮ ବର୍ଷରୁ ଅଧିକ ବୟସ୍କ କେବଳ ଅନଲାଇନରେ ପଞ୍ଜିକରଣ କରିଲେ ଟିକା ନେଇ ପାରିବେ । ସେମାନଙ୍କ ପାଇଁ ଅଫଲାଇନ୍ ବ୍ୟବସ୍ଥା ହୋଇନି । ଟିକା ମାଗଣା ଦିଆଯିବ କି ନାହିଁ, ତାହା ରାଜ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେରମ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡର ଦର ଘୋଷଣା କରିଥିବା ବେଳେ କୋଭାକ୍ସିନର ଦର ଘୋଷଣା କରିଛି ଭାରତ ବାୟୋଟେକ୍ । କୋଭିସିଲ୍ଡ ଓ କୋଭାକ୍ସିନ୍ ଉତ୍ପାଦନର ୫୦ ପ୍ରତିଶତ ଭ୍ୟାକ୍ସିନ୍ କେନ୍ଦ୍ର ସରକାର ଡୋଜ୍ ପିଛା ୧୫୦ ଟଙ୍କାରି କିଣିବେ । ସେହିଭଳି ରାଜ୍ୟ କୋଭିସିଲ୍ଡ ଡୋଜ୍ ପିଛା ୪୦୦ ଓ କୋଭାକ୍ସିନ୍ ଡୋଜ୍ ପିଛା ୬୦୦ ଟଙ୍କାରେ କିଣିବ । ଘରୋଇ ହସ୍ପିଟାଲ୍ କୋଭିସିଲ୍ଡ ଡୋଜ୍ ପିଛା ୬୦୦ ଓ କୋଭାକ୍ସିନ୍ ଡୋଜ୍ ପିଛା ୭୦୦ ଟଙ୍କାରେ କିଣିବାକୁ ପଡ଼ିବ ।

ଇତିମଧ୍ୟରେ ୟୁପି, ତେଲଙ୍ଗାନା ଭଳି ଅଧିକାଂଶ ରାଜ୍ୟ ସମସ୍ତଙ୍କୁ ମାଗଣା ଟିକାକରଣ କରିବେ ବୋଲି ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ଓଡ଼ିଶା ସରକାର ମଧ୍ୟ ସମସ୍ତଙ୍କ ଲାଗି କୋଭିଡ୍ ଟିକା ମାଗଣା ବୋଲି ଘୋଷଣା କରିବାର ସମ୍ଭାବନା ରହିଛି ।

Leave a Reply