ଫିଫା ବିଶ୍ୱକପରେ ବଡ଼ ଓଲଟପାଲଟ; ଆର୍ଜେଣ୍ଟିନାକୁ ହରାଇଲା ସାଉଦି ଆରବ

1 min read

କତାର: ଫିକା ପଡିଲା ମେସିଙ୍କ ଯାଦୁ । ଫିଫା ବିଶ୍ୱକପର ତୃତୀୟ ଦିନରେ ବଡ ଓଲଟପାଲଟ ଦେଖିବାକୁ ମିଳିଛି । ଫୁଟବଲ ବିଶ୍ବକପ୍ ଇତିହାସରେ ବଡ଼ ଝଟ୍କା, ବଡ଼ ବିପର୍ଯ୍ୟୟ । ଟାଇଟଲର ପ୍ରମୁଖ ଦାବିଦାରି କୁହାଯାଉଥିବା ଆର୍ଜେଣ୍ଟିନାକୁ ଚିତପଟାଙ୍ଗ କରିଛି ସାଇଦି ଆରବ ଦଳ । ଫୁଟବଲ୍ ବିଶ୍ୱ ରାଙ୍କିଂରେ ୫୧ତମ ସ୍ଥାନରେ ଥିବା ସାଉଦି ଆରବ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ପରାସ୍ତ କରିଛି । ଏହି ପରାଜୟ ସହ ଆର୍ଜେଣ୍ଟିନା ପାଇଁ ସମସ୍ୟା ବଢ଼ିଯାଇଛି ।

ଆର୍ଜେଣ୍ଟିନାର ଆଗାମୀ ମ୍ୟାଚ ୨୭ ନଭେମ୍ବରରେ ମେକ୍ସିକୋ ସହ ଏବଂ ୩୦ ନଭେମ୍ବରରେ ପୋଲାଣ୍ଡ ସହ ରହିଛି । ପ୍ରି କ୍ୱାଟରରେ ଖେଳିବାକୁ ହେଲେ ଆଗାମୀ ଦୁଇଟି ଯାକ ମ୍ୟାଚ ଆର୍ଜେଣ୍ଟିନାକୁ ଜିତିବାକୁ ପଡ଼ିବ ।  ଏହି ପରାଜୟ ସହ ଆର୍ଜେଣ୍ଟିନାର ଟିମ ଗ୍ରୁପ ସିରେ ଶେଷ ସ୍ଥାନରେ ପହଞ୍ଚି ଯାଇଛି । ବିଶ୍ୱ ରାଙ୍କିଂରେ ୩ୟ ସ୍ଥାନରେ ଥିବା ଆର୍ଜେଣ୍ଟିନାର ଆଜିର ପରାଜୟରେ ପ୍ରଶଂସକ ନିରାଶ ହୋଇଛନ୍ତି ।

ମ୍ୟାଚର ୧୦ମ ମିନିଟରେ ଅଧିନାୟକ ଲିଓନେଲ ମେସିଙ୍କ ଗୋଲରେ ପଏଣ୍ଟ ମିଳିବା ସତ୍ତ୍ୱେ ଦଳ ମ୍ୟାଚ୍ ଜିତି ପାରିନାହିଁ । ସାଉଦି ଆରବ ପାଇଁ ସାଲେହ ଅଲସେହରୀ ୪୮ତମ ମିନିଟ ଓ ୫୩ତମ ମିନିଟରେ ସାଲେମ ଅଲଡାବସାରୀ ଗୋଲ କରିଥିଲେ । ଏହାପରେ ଉଭୟ ଟିମ୍ ମଧ୍ୟରୁ କୌଣସି ଟିମ ଗୋଲ  କରିପାରିନଥିଲେ । ଶେଷ କିଛି ମିନିଟରେ ସାଉଦି ଆରବର ଗୋଲ କିପର ଏମ ଏଲ ଔବେସ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ସେ ଅନେକ ଗୋଲ୍ ଅଟକାଇଥିଲେ ।

ଆର୍ଜେଣ୍ଟିନା ଦଳ ପ୍ରାରମ୍ଭିକ କିଛି ମିନଟରେ ତିନୋଟି ଗୋଲ୍ କରିଥିଲା, କିନ୍ତୁ ସମସ୍ତ ଅଫସାଇଡ୍ ରହିଥିଲା । ଏହି ପରାଜୟ ସହ ଆର୍ଜେଣ୍ଟିନାର ଲଗାତାର ୩୬ ମ୍ୟାଚରେ ବିଜୟର କ୍ରମ ଭାଙ୍ଗିଯାଇଛି । ଦଳ ୨୫ ମ୍ୟାଚ ଜିତିଥିଲା ଏବଂ ୧୧ଟି ଡ୍ର ହୋଇଥିଲା । ୧୯୭୪ ପରେ ପ୍ରଥମଥର ଆର୍ଜେଣ୍ଟିନା ନିଜର ପ୍ରଥମ ମ୍ୟାଚରେ ୨ଟି ଗୋଲ୍ ଖାଇଛି । ସେ ସମୟରେ ପୋଲାଣ୍ଡଠାରୁ ତାକୁ ୨-୩ରେ ପରାଜୟ ମିଳିଥିଲା । ବିଶ୍ୱକପ୍ ଇତିହାସରେ ସାଉଦି ଆରବର ଏହା ତୃତୀୟ ବିଜୟ ଅଟେ । ଏବେ ଆର୍ଜେଣ୍ଟିନାକୁ ପ୍ରି କ୍ୱାଟର ଫାଇନଲରେ ପ୍ରବେଶ କରିବାକୁ ହେଲେ ନିଜର ବାକି ଦୁଇଟି ମ୍ୟାଚ ଜିତିବାକୁ ପଡ଼ିବ ।