ବିଶ୍ରାମ ନେବାକୁ ସମୟ ନାହିଁ: ଟ୍ରୋଲି ବ୍ୟାଗ୍‌ରେ ଶୋଇଥିବା ପୁଅକୁ ଟାଣି ଟାଣି ନେଲା ମାଆ

ନୂଆଦିଲ୍ଲୀ: ଦେଶର ନିର୍ମାଣ ଏବଂ ବିକାଶରେ ଜଣେ ଶ୍ରମିକଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି | କିନ୍ତୁ ଲକ୍‌ଡାଉନ୍ ଯୋଗୁଁ ଅନେକ ଶ୍ରମିକ ଚାକିରି ହରାଇଛନ୍ତି । ଫଳରେ ଦୈନନ୍ଦିନ ଜୀବନ ଯାପନରେ ନା ନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ଦେଶରେ ଲକ୍‌ଡାଉନ୍ ଲାଗୁ ହୋଇଥିବ ସତ୍ତ୍ୱେ ଶ୍ରମିକଙ୍କ ପଳାୟନ ଜାରି ରହିଛି।  ଯିବା ପାଇଁ କୌଣସି ସାଧନ ନଥିବାରୁ ବାଧ୍ୟ ହୋଇ ଶ୍ରମିକମାନେ ଚାଲି ଚାଲି ଶହ ଶହ କିଲୋମିଟର ରାସ୍ତା ଅତିକ୍ରମ କରୁଛନ୍ତି ।

ଏଭଳି ପାଦଚଲା ଶ୍ରମିକଙ୍କ ଅନେକ ଦୃଶ୍ୟ ଏବେ ସୋସିଆଲ୍ ମିଡିଆ ଓ ଟିଭି ପରଦାରେ ଦେଖିବାକୁ ମିଳୁଛି ଯାହା ସାଧାରଣରେ ସମସ୍ତଙ୍କୁ ବ୍ୟତିଥ କରୁଛି । ଏଭଳି ହିଁ ପାଦ ଚଲା ଶ୍ରମିକଙ୍କ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣଙ୍କ କଳ୍ପନା ବାହାରେ । ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ।

ଏଥିରେ ଗୋଟିଏ ପରିବାର ପଞ୍ଜାବରୁ ଝାନ୍ସି ପାଦରେ ଚାଲି ଚାଲି ଯାତ୍ରା କରୁଛନ୍ତି । ସେମାନଙ୍କ ସହିତ ରହିଛି ଛୋଟ ଛୁଆ । ଯିଏ ବହୁ କିଲୋମିଟର ଚାଲିବା ପରେ ଥକି ଯାଇଛି । ଆଉ ଶୋଇପଡ଼ିଛି ଟ୍ରୋଲି ବ୍ୟାଗ୍‌ ଉପରେ । ହେଲେ ଅଟକି ଯାଇନାହାନ୍ତି ପରିବାର ଲୋକେ । ଛୋଟ ଛୁଆଟି ସେମିତି ବ୍ୟାଗ୍‌ ଉପରେ ଶୋଇଥିବା ବେଳେ ଟ୍ରୋଲି ବ୍ୟାଗ୍‌କୁ ଟାଣି ଟାଣି ନେଉଛି ତା’ ମାଆ ।

ସେମାନଙ୍କ କହିବା ହେଲା ଯେ, ଗତ ୩ ଦିନ ହେଲା ସେମାନେ ଚାଲି ଚାଲି ଘର ଅଭିମୁଖେ ବାହାରିଛନ୍ତି  । କିଛି ଶ୍ରମିକ ଟ୍ରେନ୍‌ ଓ ବସ୍‌ ମାଧ୍ୟମରେ ଘରକୁ ବାହୁଡ଼ୁଥିବା ସେମାନେ ଏନେଇ ଅବଗତ ନୁହଁନ୍ତି । ପରିବାରର ମୁଖିଆ ଧିରଜଙ୍କ କହିବା ହେଲା ଯେ, ସେମାନେ ବୁନ୍ଦଲଖଣ୍ଡ ଜିଲ୍ଲାକୁ ଯିବାର ଅଛି କିନ୍ତୁ ସେମାନେ ପ୍ରଶାସନର ବ୍ୟବସ୍ଥା ନେଇ ଅବଗତ ନଥିବା କହିଛନ୍ତି ।

Leave a Reply