ବଢ଼ୁଛି କରୋନା ସଂକ୍ରମଣ, ୭ ଜିଲ୍ଲାରେ ଲକଡାଉନ୍ ଲାଗୁ କଲେ ସରକାର

Lockdown In Seven District Of Chhattisgarh

ରାୟପୁର: ଛତିଶଗଡ଼ରେ ଦ୍ରୁତ ଗତିରେ କୋଭିଡ୍ ସଂକ୍ରମଣ ବ୍ୟାପି ଚାଲିଛି । କରୋନା ସଂକ୍ରମଣ ବ୍ୟାପୁଥିବାରୁ କେତେକ ଜିଲ୍ଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ରାଜ୍ୟ ସରକାର ସଂକ୍ରମଣ ରୋକିବାକୁ ୩ ଜିଲ୍ଲାରେ ଲକଡାଉନ୍ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି । ବିଳାସପୁର, ସରଗୁଜା ଓ ସୁରଜପୁର ଜିଲ୍ଲାରେ ଲକଡାଉନ୍ ଲାଗୁ ହେବ । ବିଳାସପୁରରେ ୧୪ ଏପ୍ରିଲରୁ ଲକଡାଉନ୍ ଲାଗିବ । ସୁରଜପୁର ଓ ସରଗୁଜାରେ ୧୩ ଏପ୍ରିଲରୁ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ । ଲକଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିବ ।

ଛତିଶଗଡ଼ରେ କରୋନା ସଂକ୍ରମଣ ମାମଲା ଲଗାତାର ବଢ଼ି ଚାଲିଛି । ଏହାକୁ ଦେଖି ସରକାର ପୂର୍ବରୁ ୪ ଗୋଟି ଜିଲ୍ଲାରେ ଲକଡାଉନ୍ ଲଗାଇ ଥିଲେ । ରାଜଧାନୀ ରାୟପୁର ସମେତ ୪ ଜିଲ୍ଲାରେ ଲକଡାଉନ୍ ଲାଗୁ କରାଯାଇଥିଲା । ସଂକ୍ରମଣ ରୋକିବା ଲାଗି ଆଜି ଆଉ ୩ ଗୋଟି ଜିଲ୍ଲାରେ ଲକଡାଉନ୍ ଲାଗୁ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ଆସନ୍ତା ୧୪ ତାରିଖରୁ ରାଜ୍ୟର ୭ଗୋଟି ଜିଲ୍ଲାରେ ପୂର୍ଣ୍ଣ ଲକଡାଉନ୍ ରହିବ ।

କରୋନାର ଦ୍ୱିତୀୟ ଲହର ଛତିଶଗଡ଼ ଲାଗି ବିପଜ୍ଜନକ ସାବ୍ୟସ୍ତ ହୋଇଛି । ରାଜ୍ୟରେ ପ୍ରତିଦିନ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ମହାମାରୀ କରୋନାରେ ରାଜ୍ୟରେ ୪ ହଜାର ୬୫୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୬୮ ହଜାର ୧୨୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୨୮୦୦ରୁ ଅଧିକ ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ସହାୟତାରେ ରଖା ଯାଇଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମେଡିକାଲରେ ବେଡ୍ ଅଭାବ ମଧ୍ୟ ଦେଖା ଗଲାଣି ।

Leave a Reply