ମାସେ ହେଲାଣି ନିଖୋଜ ଲୋକସେବା ଭବନର ବରିଷ୍ଠ କର୍ମଚାରୀ ସନ୍ତୋଷ

1 min read

ଭୁବନେଶ୍ୱର: ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ କାର୍ଯ୍ୟାଳୟ ଲୋକସେବା ଭବନର ଜଣେ ବରିଷ୍ଠ କର୍ମଚାରୀ ନିଖୋଜ । ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଡ଼େସ୍କ ଅଫିସର ସନ୍ତୋଷ ଦଳବେହେରାଙ୍କ ମାସେ ହେଲାଣି ପତ୍ତା ମିଳୁନାହିଁ । ଘର ଲୋକେ ଜୁନ୍ ୩୦ ତାରିଖରୁ ଶହୀଦନଗର ଥାନାରେ ଏତଲା ଦେଇଥିଲେ ମଧ୍ୟ ତାଙ୍କର ଏଯାଏଁ କିଛି ଖୋଜଖବର ମିଳୁନଥିବା କହିଛନ୍ତି । ସାଧାରଣ ପ୍ରଶାସନ, ଗୃହ ବିଭାଗକୁ ମଧ୍ୟ ତାଙ୍କ ସ୍ବାମୀଙ୍କୁ ଖୋଜି ଆଣିବାକୁ ଗୁହାରି କରିଛନ୍ତି । ଅଫିସର କାମ ଚାପ ଯୋଗୁଁ ସେ ସବୁବେଳେ ବ୍ୟସ୍ତବିବ୍ରତ ରହୁଥିଲେ ବୋଲି ତାଙ୍କ ଶିକ୍ଷୟତ୍ରୀ ପତ୍ନୀ ଅଭିଯୋଗ କରିଛନ୍ତି

ଭୁବନେଶ୍ବର ୟୁନିଟ୍-୯ର କ୍ବାର୍ଟର ନମ୍ବର ୨ ଆରବି-ଏଫ୍-୬୧/୩ ରୁହନ୍ତି ସନ୍ତୋଷ । ପତ୍ନୀ ଫୁଲବାଣୀ ଜିଲ୍ଲା ଜି.ଉଦୟଗିରିରେ ଶିକ୍ଷୟତ୍ରୀ ଭାବେ କାମ କରନ୍ତି । ଜୁଲାଇ ୨୫ ତାରିଖ ଶେଷ ଥର ପାଇଁ ସେ କାର୍ଯ୍ୟାଳୟକୁ ଯାଇଥିଲେ । ୨୬ ତାରିଖରେ ଶେଷ ଥର ପାଇଁ ପରିବାର ସହ କଥା ହୋଇଥିଲେ । ତାପରଠାରୁ ସେ ଅଫିସ ନ ଯିବାରୁ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ପତ୍ନୀଙ୍କୁ ଯୋଗାଯୋଗ କରାଯାଇଥିଲା । ପତ୍ନୀ ଭୁବନେଶ୍ବରରେ ପହଂଚିବା ପରେ ଜୁନ୍ ୩୦ରେ ଥାନାରେ ଅଭିଯୋଗ କରିଥିଲେ । ହେଲେ ଏତଲା ଦାୟରକୁ ମାସେ ବିତିବାକୁ ବସିଲାଣି, ତଥାପି କିଛି ଖୋଜ୍ ଖବର ମିଳୁନାହିଁ ।

ସନ୍ତୋଷଙ୍କ ପତ୍ନୀ ଓ ଘରଲୋକଙ୍କ କହିବା ଅନୁସାରେ, ତାଙ୍କର କାହା ସହ କୌଣସି ଝଗଡ଼ା ହୋଇନଥିଲା । ଘରେ ତାଙ୍କ ବାଇକ୍ ବି ଥୁଆ ହୋଇଛି । କେବଳ ସଚିବାଳୟର ପରିଚୟ ପତ୍ର ଏବଂ ମୋବାଇଲ୍ ଫୋନ୍ ତାଙ୍କ ପାଖରେ ଅଛି । ପୋଲିସ ଚାହିଁଲେ ତାଙ୍କ ଫୋନକୁ ଟ୍ରାକ୍ କରି ତାଙ୍କ ବିଷୟରେ ଅଧିକ ଜାଣିପାରନ୍ତା । ହେଲେ ପୁଲିସ ଚୁପ୍ ବସିଥିବାରୁ ଘର ଲୋକେ ଏବେ ସନ୍ତୋଷଙ୍କ ବିଷୟରେ କିଛି ବି ଜାଣିପାରୁ ନଥିବା କହିଛନ୍ତି । ସେପଟେ ସଚିବାଳୟ କର୍ମଚାରୀ ସଂଘ ମଧ୍ୟ ସନ୍ତୋଷଙ୍କୁ ଖୋଜି ଆଣିବାକୁ ଅପିଲ କରିଛି ।

 

Leave a Reply