Crowd at Wine Shops: ଦିଲ୍ଲୀରେ ଲକଡାଉନ ଘୋଷଣା ହେଉ ହେଉ ମଦ ଦୋକାନରେ ଭାରି ଭିଡ଼

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଛି । କରୋନାକୁ କାବୁ କରିବା ପାଇଁ ନାଇଟ କର୍ଫ୍ୟୁ ଏବଂ ଓ୍ୱିକେଣ୍ଡ କର୍ଫ୍ୟୁ ଘୋଷଣା କରିଥିବା ଅରବିନ୍ଦ କେଜରିଓ୍ୱାଲ ସରକାର ସୋମବାର ଛଅ ଦିନର ମିନି ଲକଡାଉନ ଘୋଷଣା କରିଛନ୍ତି । ଏହା ସୋମବାର ରାତି ୧୦ଟାରୁ ଆରମ୍ଭ କରି ୨୬ ଅପ୍ରେଲ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ । ଲକଡାଉନ ଘୋଷଣା ହେଉ ହେଉ ମଦ ପ୍ରେମୀଙ୍କ ଚିନ୍ତା ବଢିଯାଇଛି । ଫଳସ୍ୱରୂପ ମଦ ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

ଲକଡାଉନ ଘୋଷଣା ହେଉ ହେଉ ଲୋକ ସାମାଜିକ ଦୂରତା ଭୁଲି ମଦ କିଣିବାରେ ମାତିଛନ୍ତି । ଅବଶ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାମାଜିକ ଦୂରତା ରକ୍ଷା କରିବାକୁ ଚେଷ୍ଟା କରିଛି ।

ଦିଲ୍ଲୀର ଆନନ୍ଦ ବିହାର, ଖାନ ମାର୍କେଟ,ଗୋଲ ମାର୍କେଟ,ଖାନପୁର,ତୁଗଲକବାଦ ଓ ରୋହିଣୀ ସମେତ ଏକାଧିକ ସ୍ଥାନରେ ସୗମାନ ଦୃଶ୍ୟ ଦେଖିବାକୁ ମିଳିଛି । ବାସ୍ତବରେ ଏହି ଦୃଶ୍ୟ ପୂର୍ବବର୍ଷର ଲକଡାଉନକୁ ତାଜା କରିଦେଇଛି । ଗତବର୍ଷ ଲକଡାଉନରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ଏବଂ ସାମାଜିକ ଦୂରତା ଭାଙ୍ଗୁଥିବା ଅମାନିଆଙ୍କ ଉପରେ ଦିଲ୍ଲୀ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା । ପରିସ୍ଥିତିରେ ସୁଧାର ନଆସିବାରୁ ଦିଲ୍ଲୀ ସରକାର ମଦ ଦୋକାନ ବନ୍ଦ କରିବାକୁ ଆଦେଶ ଦେଇଥିଲା । କିନ୍ତୁ କିଛି ଦିନ ମଧ୍ୟରେ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ ଲକଡାଉନ ଘୋଷଣା ସହିତ ଦିଲ୍ଲୀ ଛାଡ଼ି ନ ଯିବାକୁ ପ୍ରବାସୀ ଶ୍ରମିକଙ୍କୁ ଅପିଲ କରିଛନ୍ତି । ଯିବା ଆସିବାରେ ସମୟ ବରବାଦ ନକରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ ବୋଲି ଘୋଷଣା କରିଛନ୍ତି କେଜରିଓ୍ୱାଲ ସରକାର ।

Leave a Reply