ଶବଦାହ ପାଇଁ ଲମ୍ବା ଲାଇନ୍, ମୃତଦେହ ଧରି ଅପେକ୍ଷା କରିବାକୁ ପଡ଼ୁଛି ଘଣ୍ଟା ଘଣ୍ଟା

1 min read
Long Que For Covid Dead Body Cremation In Ghaziabad

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବା ପରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି । କେଉଁଠି କରୋନା ଆକ୍ରାନ୍ତଙ୍କୁ ବେଡ୍ ମିଳୁନି ତ ଆଉ କେଉଁଠି ଅକ୍ସିଜେନ୍ । ଫଳରେ ଗୁରୁତର ରୋଗୀ ଜୀବନ ହାରୁଛନ୍ତି । ଆଉ ଏ ହେଉଛି ତା’ପରର ଦୃଶ୍ୟ । ସଂସ୍କାର ପାଇଁ ମୃତଦେହର ଲମ୍ବା ଲାଇନ୍ ଲାଗିଛି । ଉତ୍ତରପ୍ରଦେଶ ଗାଜିଆବାଦ ମହାନଗର ନିଗମ ଅଧୀନରେ ଥିବା ଶବଦାହ ଗୃହରେ ଧାଡ଼ି ଧାଡ଼ି ହୋଇ ସଂସ୍କାର ଅପେକ୍ଷାରେ ପଡ଼ି ରହିଛି ମୃତଦେହ ।

Long Que For Covid Dead Body Cremation In Ghaziabad

ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ୩୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୯ ଜଣଙ୍କ ମୃତ୍ୟୁ ହୋଇଛି । କୋଭିଡ୍ ମୃତକଙ୍କ ଲାଗି ପୂର୍ବରୁ ଏଭଳି ଭିଡ଼ ହେଉନଥିବା ବେଳେ ଗତ ୧୦ ଦିନ ହେଲା ଲମ୍ବା ଲାଇନ୍ ଲାଗୁଥିବା କହିଛନ୍ତି ଶବଦାହ ଗୃହ ଦାୟିତ୍ୱରେ ଥିବା କର୍ମଚାରୀ । ଗୋଟିଏ ପଟେ କୋଭିଡ୍ ମୃତକଙ୍କ ଶବଦାହ ଲାଗି ଲମ୍ବା ଲାଇନ୍, ଅନ୍ୟପଟେ ଆମ୍ବୁଲାନ୍ସରେ ବି ପଡ଼ି ରହିଛି ଶବ ।

ଅନ୍ୟପଟେ ଗାଜିଆବାଦ ମହାନଗର ନିଗମର କମିଶନରଙ୍କ କହିବା କଥା ସ୍ଥିତି ଠିକ୍ ଅଛି । ଶବଦାହ ଲାଗି ବ୍ୟବସ୍ଥା ବି ହୋଇଛି । ଅଧିକ ମୃତ୍ୟୁ ପାଇଁ ନୁହେଁ ବରଂ ସାମାଜିକ ଦୂରତା ଲାଗି ଲମ୍ବା ଲାଇନ୍ ଲାଗିଛି ।

Long Que For Covid Dead Body Cremation In Ghaziabad

ଶବଦାହ ଗୃହ କର୍ମଚାରୀ ଓ ମହାନଗର ନିଗମ କମିଶନରଙ୍କ ବୟାନରେ ତାଳମେଳ ରହୁନଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କୋଭିଡ୍ ରିପୋର୍ଟରେ ବି କୋଭିଡ୍ ଆକ୍ରାନ୍ତ ମରିନଥିବା କୁହାଯାଇଛି । ଦୈନିକ ଏକାଧିକ ରୋଗୀ କରୋନାରେ ପ୍ରାଣ ହରାଉଥିବା ବେଳେ ପ୍ରଶାସନ ମୃତ୍ୟୁସଂଖ୍ୟା ଚାପିବାକୁ ଏଭଳି ଷଡ଼ଯନ୍ତ୍ର କରିଛି । ପ୍ରଶାସନ ଅନୁସାରେ ଏପ୍ରିଲ୍ ୧୬ ଓ ୧୭ରେ କୌଣସି କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇନଥିବା ବେଳେ ୧୮ ତାରିଖରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

ଗାଜିଆବାଦରେ କୋଭିଡର ଭୟାନକ ସ୍ଥିତିକୁ ଦେଖି ଅସ୍ଥାୟୀ କରୋନା ହସ୍ପିଟାଲ ତିଆରି ଲାଗି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ଅନୀଲ ଅଗ୍ରୱାଲ । କରୋନା ସ୍ଥିତି ବେଶ୍ ଭୟଙ୍କର ଥିବାବେଳେ ପ୍ରଶାସନ ଦୋଷତ୍ରୁଟିକୁ ଲୁଚାଇ ସବୁକିଛି ଠିକ୍ ଥିବା କହି କାମ ସାରି ଦେଉଛି ।

Leave a Reply