ଯାଜପୁରରେ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ

ନନ୍ଦିଘୋଷ ବ୍ୟୁରୋ: ଯାଜପୁରରେପୋଲିସ ପ୍ରଶାସନକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ଏକାଧିକ ଅଞ୍ଚଳରେ ବୁଲାଉଛନ୍ତି କଳାକନା । ବନ୍ଧୁକ ମୁନରେ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା । ହେଲେ ପୋଲିସ ଲୁଟେରାଙ୍କ ନା ଟେର ପାଉଛି ନା ମାଷ୍ଟରମାଇଣ୍ଡକୁ ଧରିପାରୁଛି । ଏମିତି ସ୍ଥିତିରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଯାଜପୁରରେ ମାତିଛନ୍ତି ଲୁଟେରା । ଘର ବନ୍ଦ କରି ବୁଲିବାକୁ ଯାଉଥିଲେ ସାବଧାନ । କୌଣସି ସମୟରେ ଘରେ କଳାକନା ବୁଲାଇ ପାରନ୍ତି ଲୁଟେରା । ଘରେ ଥିଲେ ବି ସୁରକ୍ଷିତ ନୁହେଁ ଧନ ସମ୍ପତ୍ତି । ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରି ଜିଲ୍ଲାର ଏକାଧିକ ଅଞ୍ଚଳରେ ବୁଲାଉଛନ୍ତି କଳାକନା । ବନ୍ଧୁକ ମୁନରେ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା । ଏପରିକି କିଛି ଦିନ ତଳେ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଲୁଟେରାଙ୍କ ଆକ୍ରମଣରେ ଯାଇଛି ଜଣଙ୍କ ଜୀବନ । ଦଶରଥପୁର ଓ ବିଞ୍ଝାରପୁର ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଲେଣି ଦୁର୍ବୃତ୍ତ । ଗତ ୪ ତାରିଖ ଦିନ ୭ ଜଣ ଲୁଟେରାଙ୍କୁ ଗିରଫ କରିଥିଲେ ବି ଏ ପର୍ଯ୍ୟନ୍ତ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚି ପାରିନି ପୋଲିସ ।
ଗତ ଦୁଇ ମାସ ମଧ୍ୟରେ ମଙ୍ଗଳପୁର ଥାନା ଅଧୀନ ବୋତଲଡଙ୍ଗା ଗାଁର ଗୋଟିଏ ଘରୁ ଦୁଇ ଥର ଲୁଟ ହୋଇଛି । ଅଳୁକୁଣ୍ଡ ଥାନା ଅଧୀନ ଚିକଣା ଗାଁର ଦୁଇ ତିନୋଟି ସ୍ଥାନରେ ଲୁଟ କରି ଫେରାର ହେଲେ ଲୁଟେରା । ବିଞ୍ଝାରପୁର ଥାନା ଅଧୀନ ସୟଦପୁରଠାରେ ଥିବା ମନ୍ଦିର, କୋରିଅର କମ୍ପାନୀ ସମେତ ଏକାଧିକ ସ୍ଥାନରୁ ଲୁଟ ଘଟଣା ସାମ୍ନାକୁ ଆସିଛି । ଅଥଚ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ବିଶେଷ କରି ପୋଲିସ ରାତିରେ ପାଟ୍ରୋଲିଂ କରୁ ନଥିବାରୁ ଏଭଳି ସ୍ଥିତି ଉପୁଜି ଥିବା ଅଭିଯୋଗ ହେଉଛି । ଜିଲ୍ଲାର ମୁଖ୍ୟବଜାର ସ୍ଥଳୀଗୁଡ଼଼ିକରେ ସିସିଟିଭି ଲଗାଗଲେ ଲୁଟେରାଙ୍କୁ ସହଜରେ ଠାବ କରାଯାଇପାରନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।