ରାଜଧାନୀରେ ପୁଣି ମାତିଲେ ଝରକା ତଡ଼ା ଗ୍ୟାଙ୍ଗ, ସିସିଟିଭିରେ କଏଦ ହେଲା ପ୍ରଥମ ଦୃଶ୍ୟ

ଭୁବନେଶ୍ବର: ପୋଲିସ ଡାଳେ ଡାଳେ ଗଲେ, ଚୋର ପତରେ ପତରେ ଯାଉଛନ୍ତି । ଆଇନ ବ୍ୟବସ୍ଥା ଯେତେ ସୁଦୃଢ଼ କଲେ ବି ଲୁଟର ବାଟ ବାହାର କରି କଳାକନା ବୁଲାଉଛନ୍ତି ଲୁଟେରା । ରାଜଧାନୀ ଭୁବନେଶ୍ବରରେ ପୁଣି ମାତିଛନ୍ତି ଝରକା ତଡ଼ା ଲୁଟେରା ଗ୍ୟାଙ୍ଗ । ଘରେ ପଶି ଲୁଟି ନେଲେ ସୁନା ଗହଣା ଓ ଟଙ୍କା । ମଞ୍ଚେଶ୍ବର ଥାନା ଜଗନ୍ନାଥ ନଗରରୁ ଦୁଇଟି ଘରୁ ହୋଇଛି ଲୁଟ୍ । ସିସିଟିଭିରେ ପ୍ରଥମ ଥର ପାଇଁ କଏଦ ହେଲା ଝରକା ତଡ଼ା ଗ୍ୟାଙ୍ଗର ସଦସ୍ୟଙ୍କ ଦୃଶ୍ୟ ।

ଗତକାଲି ବିଳମ୍ବିତ ରାତିରେ ପରେଶ ଚରଣ ପାଣିଗ୍ରାହୀ ଏବଂ ଅଶୋକ କୁମାର ନାଗଙ୍କ ଘରର ଝରକା ତାଡି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଝରକା ତଡ଼ା ଗ୍ୟାଙ୍ଗର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପ୍ରଥମ ଥର ପାଇଁ ଝରକା ତଡ଼ା ଗ୍ୟାଙ୍ଗର ଦୃଶ୍ୟ ଦେଖିବାକୁ ମିଳିଛି । ଚୋରି ସମ୍ପର୍କରେ ଘର ମାଲିକ ମଞ୍ଚେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାପୂର୍ବରୁ ମଧ୍ୟ ରାଜଧାନୀରେ ଝରକା ତଡା ଗ୍ୟାଙ୍ଗର ଦୌରାତ୍ମ ଦେଖିବାକୁ ମିଳିଥିଲା । ଘରେ କେହି ନଥିବାର ସୁଯୋଗ ନେଇ ଏମାନେ ଝରକା ତାଡି ଘରକୁ ପଶନ୍ତି ଓ ଟଙ୍କା, ପଇସା, ସୁନା ଗହଣା ଲୁଟ୍ କରି ଫେରାର ହୋଇଯାଆନ୍ତି । ଝରକାତଡା ଗ୍ୟାଙ୍ଗର ଏଭଳି ଉତ୍ପାତ ଦେଖି ରାଜଧାନୀବାସୀଙ୍କୁ ଭୟ ଘାରିଛି ।