ମହିଳାଙ୍କୁ ପିଟି ୪ କିଲୋ ଟମାଟୋ ଲୁଟ କଲେ ଯୁବକ

ପ୍ରୟାଗରାଜ : ବଜାରରେ ନିଆଁ ଲଗାଇବା ପରେ ଏବେ ଲୁଟେରାଙ୍କ ଟାର୍ଗେଟକୁ ଆସିଲାଣି ଟମାଟୋ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଟମାଟୋ ଲୁଟର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ମହିଳା ଦୋକାନୀଙ୍କ ସହିତ ମାରପିଟ କରି ତାଙ୍କଠାରୁ ୪ କିଲୋ ଟମାଟୋ ଲୁଟ କରିଛନ୍ତି ଲୁଟେରା। ଲୁଟକୁ ବିରୋଧ କରିବାରୁ କେବଳ ମହିଳା ନୁହନ୍ତି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଲୁଟେରା ମାଡ଼ ମାରିଛନ୍ତି। ପୋଲିସ ମାମଲାର ତଦନ୍ତ କରୁଛି।
ଅଭିଯୋଗ ଅନୁସାରେ ଦୁଇ ଦିନ ତଳେ ମହିଳା ଦୋକାନୀ ସନ୍ତୋଷ ଦେବୀଙ୍କ ଦୋକାନକୁ ତାଙ୍କ ଗାଁର ଜଣେ ଯୁବକ ଟମାଟୋ କିଣିବାକୁ ଆସିଥିଲେ। ଟମାଟୋ କିଲୋ ୧୨୦ ଟଙ୍କା ଥିବା ବେଳେ ଯୁବକ ଜଣକ କିଲୋ ପ୍ରତି ୧୦ ଟଙ୍କା ନେବାକୁ ସନ୍ତୋଷ ଦେବୀଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ଦୋକାନୀ ୧୦ ଟଙ୍କାରେ ଟମାଟୋ ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତକ୍ଷିପ୍ତ ହୋଇ ଯୁବକ ସନ୍ତୋଷ ଦେବୀଙ୍କୁ ଗାଳିଗୁଲଜ କରିଥିଲେ। ପରେ କିଛି ବ୍ୟକ୍ତିଙ୍କ ସହିତ ଯୁବକ ଜଣକ ଫେରି ତାଙ୍କୁ ମାଡ଼ ମାରିବା ସହିତ ୪ କିଲୋ ଟମାଟୋ ଲୁଟ୍ କରିଥିଲେ।
ଘଟଣାର ପରଦିନ ଯୁବକ ଜଣକ ପୁଣି ଫେରି ମହିଳାଙ୍କୁ ଥାନାରେ ଅଭିଯୋଗ ନକରିବାକୁ ଧମକ ଦେଇଥିଲେ। ପରେ ଅଭିଯୋଗ ଆଧାରରେ ପୋଲିସ ଯୁବକଙ୍କୁ ଅଟକ ରଖିଛି। ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଏତଲା ଦାଏର ହୋଇନାହିଁ। ଝାନସି ଥାନାର କୁସମିପୁର ଗାଁରେ ଏହି ଘଟଣା ଘଟିଛି। ଟମାଟୋ ଲୁଟର ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।