ନନ୍ଦିଘୋଷ ବ୍ୟୁରୋ : ଚିକିତ୍ସା ପାଇଁ ବାରିପଦା ଯାଇଥିବା ବେଳେ ଯୁବତୀଙ୍କ ସହ ହୋଇଥିଲା ଦେଖା। ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରେମିକ ଧୋକା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଉଦଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଗୋଡ଼ିଶୋଳ ଅଞ୍ଚଳର ଧରଣୀଧର ସିଂ। ସୂଚନା ଅନୁସାରେ, ଚିକିତ୍ସା ପାଇଁ ବାରିପଦା ଯାଇଥିବା ସମୟରେ ଧରଣୀଧରଙ୍କ ସହ ଉଦଳା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।
ଯୁବତୀଙ୍କ ଅଭିଯୋଗ ଅନୁସାରେ, ବିବାହର ପ୍ରତିଶ୍ରୁତି ଦେଇ ଧରଣୀଧର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ବିବାହ କରିବାକୁ ମନା କରି ଧୋକା ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ପୀଡ଼ିତା ଉଦଳା ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଉଦଳା ପୋଲିସ ମାମଲା ରୁଜୁ କରି ଧରଣୀଧର ସିଂଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

