ନନ୍ଦିଘୋଷ ବ୍ୟୁରୋ : ବିରୋଧୀ ଦଳର ଚାପରେ ମୁଣ୍ଡ ନୋଇଁଲେ କେନ୍ଦ୍ର ସରକାର। ଆସନ୍ତା ୯ରେ ଲୋକସଭାରେ ହେବ ଏସଆଇଆର ପ୍ରସଙ୍ଗରେ ଆଲୋଚନା। ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି। ଲୋକସଭାରେ ୧୦ ଘଣ୍ଟା ଧରି ଚାଲିବ ଆଲୋଚନା। ହରିଆଣା, ବିହାର ସମେତ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଭୋଟ ଗଡ଼ବଡ଼ି ନେଇ ବିରୋଧୀ ଅଭିଯୋଗ ଆଣୁଛନ୍ତି। ଏସଆଇଆର ପ୍ରସଙ୍ଗରେ ସଂସଦରେ ତୀବ୍ର ହଟ୍ଟଗୋଳ ସୃଷ୍ଟି ହେଉଛି। ଯଦି ବିରୋଧୀ ଦଳ ହଟ୍ଟଗୋଳ ଜାରି ରଖିବେ ତେବେ ଆଲୋଚନା ସମ୍ଭବ ନୁହେଁ ବୋଲି କହିଛନ୍ତି ସରକାର। ସେପଟେ ଆସନ୍ତା ୮ରେ ବନ୍ଦେ ମାତରଂ ସଂଗୀତର ୧୫୦ତମ ବାର୍ଷିକୀ ପାଳନ ପରେ ଏସଆଇଆର ପ୍ରସଙ୍ଗରେ ଆଲୋଚନା ହେବ। ଏହା ସହ ବିଏଲଓ ଆତ୍ମହତ୍ଯା ପ୍ରସଙ୍ଗକୁ ବି ବିରୋଧୀ ଉଠାଇବେ ବୋଲି ସୂଚନା ମିଳିଛି।
୧ରୁ ସଂସଦ ଅଧିବେଶନ ଆରମ୍ଭ ଦିନଠାରୁ ଏସଆଇଆର ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା ଜାରି ରହିଛି। ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲାକ୍ଷାଦ୍ବୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଏସଆଇଆର ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ସହ ସ୍ବତନ୍ତ୍ର ଆଲୋଚନା ଲାଗି ଦାବି କରିଆସୁଛନ୍ତି ବିରୋଧୀ।

