spot_img

Latest Posts

ୱାର୍କିଂ ଆୱାରକୁ ନେଇ ପୁଣି ବିବାଦ, ସପ୍ତାହରେ ୯୦ ଘଣ୍ଟା କାମ କରିବା ନେଇ ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ: ୱାର୍କିଂ ଆୱାରକୁ ନେଇ ପୁଣି ବିବାଦ। ରବିବାର ଓ ସପ୍ତାହରେ ୯୦ ଘଣ୍ଟା କାମ କରିବା ନେଇ ଲାର୍ସନ ଆଣ୍ଟ ଟ୍ୟୁବ୍ରୋ ବା ଏଲ ଆଣ୍ଡ ଟି କମ୍ପାନୀର ଅଧ୍ୟକ୍ଷ ଏସ.ଏନ. ସୁବ୍ରମଣ୍ୟମ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି କମ୍ପାନୀ ପକ୍ଷରୁ ଅଧ୍ୟକ୍ଷଙ୍କ ଯୁକ୍ତିକୁ ସମର୍ଥନ କରାଯାଇଛି । ଉଲ୍ଲେଖନୀୟ ଅବଦାନ ଯୋଗୁ ଉଲ୍ଲେଖନୀୟ ସଫଳତା ମିଳିବ ବୋଲି କହିଛି କମ୍ପାନୀ । ପ୍ରଗତି ପଥରେ ଆଗେଇବା ଲାଗି ଭାରତର ଅଭିଯାନ ଚାଲିଥିବା ବେଳେ ସାପ୍ତାହିକ ୯୦ ଘଣ୍ଟାର କାମ ଆବଶ୍ୟକ ବୋଲି କହିଛି କମ୍ପାନୀ ।

ଏଲ ଆଣ୍ଟ ଟି ମୁଖପାତ୍ର କହିଛନ୍ତି- ରାଷ୍ଟ୍ର ଗଠନ ହେଉଛି ସମସ୍ତଙ୍କ ମୂଳ ଲକ୍ଷ୍ୟ । ଦୀର୍ଘ ଆଠ ଦଶନ୍ଧି ଧରି ଭାରତର ଭିତ୍ତିଭୂମି, ଶିଳ୍ପ, ବୈଷୟିକ ସାମର୍ଥ୍ୟ ବୃଦ୍ଧି ଲାଗି ଅଭିଯାନ ଜାରି ରହିଛି । ସାମୂହିକ ଉତ୍ସର୍ଗ ଓ ପ୍ରଗତିକୁ ଅଧିକ ଗତିଶୀଳ କରିବା ଲାଗି ବର୍ତ୍ତମାନର ଆବଶ୍ୟକତା ରହିଛି । ବୃହତ୍ତର ଆଶା ଲାଗି ଅଧ୍ୟକ୍ଷଙ୍କ ଯୁକ୍ତି ପ୍ରେରଣା ଯୋଗାଉଛି ବୋଲି କହିଛନ୍ତି ମୁଖପାତ୍ର । କିଛି ଦିନ ତଳେ କର୍ମଚାରୀମାନଙ୍କୁ ଉଦବୋଧନ ଦେଇ ସୁବ୍ରମଣ୍ୟମ କହିଥିଲେ- ସେ ରବିବାର ବି କାର୍ଯ୍ୟ କରନ୍ତି। ଯଦି କର୍ମଚାରୀଙ୍କୁ ରବିବାର ବି କାମ କରିବା ଲାଗି ସେ ପଦକ୍ଷେପ ନେଇପାରିବେ ତେବେ ସେ ଖୁସି ହେବେ। ଏପରିକି ସେ କହିଥିଲେ- ଆପଣମାନେ ଘରେ ରହି କଣ କରୁଛନ୍ତି ? ଆପଣ କେତେ ଦିନ ପତ୍ନୀଙ୍କ ପାଖେ ପାଖେ ରହିପାରିବେ ? କାମ କରିବା ଲାଗି ସମସ୍ତେ ଆଗେଇ ଆସନ୍ତୁ।

ଚୀନର ଉଦାହରଣ ଦେଇ ସେ କହିଥିଲେ- ଚୀନ ଆମେରିକାକୁ ଟପିବାର ମୁଖ୍ୟ କାରଣ ଥିଲା ଚୀନବାସୀ ସାପ୍ତାହିକ ୯୦ ଘଣ୍ଟା କାମ କରନ୍ତି । ଆମେରିକାରେ ସାପ୍ତାହିକ ୫୦ ଘଣ୍ଟା କାମ କରାଯାଏ । ପୂର୍ବରୁ ସାପ୍ତାହିକ ୭୦ଘଣ୍ଟା କାମ ଲାଗି ପ୍ରସ୍ତାବ ଦେଇଥିଲେ ଇମ୍ଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି। ସେପଟେ ସୁବ୍ରମଣ୍ୟମଙ୍କ ବିବୃତିକୁ ସମାଲୋଚନା କରିଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ। ମାନସିକ ସୁସ୍ଥତା ଲାଗି କାମ କରୁଥିବା ଦୀପିକା ନିଜର ମତାମତକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

Latest Posts

Don't Miss