ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ

1 min read

ମୁମ୍ବାଇ: ବିଜୟ ଧାରା ଜାରି ରଖିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଗତକାଲି ଇଣ୍ଡିଆନ ପ୍ରମିୟର ଲିଗର ୧୫ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ହ୍ୟାଟ୍ରିକ ବିଜୟ ଲାଭ କରିଛି ଲକ୍ଷ୍ନୌ । ପ୍ରଥମ ମ୍ୟାଚରେ ପରାଜୟ ପରେ ଦମଦାର କମବ୍ୟାକ କରି ଲଗାତର ତିନୋଟି ମ୍ୟାଚରେ ଜିତିଛି ଲକ୍ଷ୍ନୌ । ଏହି ବିଜୟ ସହ ଲକ୍ଷ୍ନୌ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଚଳିତ ଆଇପିଏଲରେ ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ପ୍ରଥମ ସ୍ଥାନରେ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ସେହିପରି ଗୁଜୁରାଟ ଟାଇଟନ୍ସ ଲଗାତର ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ।

ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଯାଇଥିବା ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ ୧୪୯ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ପୃଥ୍ୱୀ ଶ’ ୬୧ ରନ କରିଥିବାବେଳେ ଅଧିନାୟକ ରିଷଭ ପନ୍ତ ୩୬ ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ରବି ବିଶ୍ନୋଇ ୨ ଓ୍ୱିକେଟ ଅକ୍ତିଆର କରିଥିଲେ ।

୧୫୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଦୁଇଟି ବଲ ବାକି ଥାଇ ଏହି ବିଜୟ ହୋଇଥିଲା । ଲକ୍ଷ୍ନୌ ପକ୍ଷରୁ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ୱାଣ୍ଟିନ ଡି’କକ୍ ୮୦ ରନ, କେଏଲ ରାହୁଲ ୨୪ ଓ କ୍ରୁନାଲ ପାଣ୍ଡ୍ୟା ୧୯ ରନ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁଲଦୀପ ଯାଦବ ଦୁଇଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ବିଜୟ ସହ ଲକ୍ଷ୍ନୌ ଲଗାତର ଭାବରେ ତିନୋଟି ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ।