ହିନ୍ଦି ବେଲ୍ଟକୁ ପସନ୍ଦ ଆସିଲାନି ରାହୁଲଙ୍କ ‘ପ୍ରେମ ଦୋକାନ’

1 min read

ନୂଆଦିଲ୍ଲୀ: ଚାଲିଛି ଗଣତି, ଆରମ୍ଭ ହେଲାଣି ଉତ୍ସାହର ମାହୋଲ । ୪ ରାଜ୍ୟର ଆଜି ନିର୍ବାଚନ ଫଳାଫଳ ବାହାରୁଥିବାବେଳେ ୩ ରାଜ୍ୟରେ ପଛରେ ରହିଛି କଂଗ୍ରେସ । ୨୦୧୪ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଏହି ନିର୍ବାଚନ ଫଳାଫଳ କଂଗ୍ରେସକୁ ନିରାଶ କରିଛି । ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ନେଇଛି ବିଜେପି । ସେପଟେ ମଧ୍ୟପ୍ରଦେଶରେ ମଧ୍ୟ ପୁଣିଥରେ ବିଜେପି ସରକାର ଗଢ଼ିବାକୁ ଯାଉଛି । ବହୁ ଆସନରେ ଆଗୁଆ ରହିଛି ବିଜେପି । ଏଗଜିଟ ପୋଲ କଂଗ୍ରେସ ସପକ୍ଷରେ ଯାଇଥିବାବେଳେ ଫଳଫଳ କିନ୍ତୁ ବିଜେପି ସପକ୍ଷରେ ଯାଇଛି । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । କଂଗ୍ରେସ ପରାଜୟର କାରଣ କ’ଣ? । ଏଭଳି ଚର୍ଚ୍ଚା ହେଉଥିବାବେଳେ କୁହାଯାଉଛି କି, ହିନ୍ଦୀ ବେଲ୍ଟ ଲୋକଙ୍କୁ ପସନ୍ଦ ଆସିଲାନି ରାହୁଲ ଗାନ୍ଧୀଙ୍କ ’ପ୍ରେମ ଦୋକାନ’ । ତେଲେଙ୍ଗାନାରେ ସାଉଥ ବେଲ୍ଟ ହୋଇଥିବାବେଳେ କଂଗ୍ରେସର ବିଜୟ ହୋଇଛି ।

କର୍ଣ୍ଣାଟକ ପରେ ତେଲେଙ୍ଗାନାରେ କଂଗ୍ରେସ ନିଜର ଆଧିପତ୍ୟ ବିସ୍ତାର କରିଛି । BRSକୁ ହରାଇ କଂଗ୍ରେସ ବଡ଼ ବିଜୟ ହାସଲ କରିଛି । କିନ୍ତୁ ବାକି ତିନି ରାଜ୍ୟ ହିନ୍ଦୀ ବେଲ୍ଟରେ କଂଗ୍ରେସକୁ ବହୁମତ ମିଳିନାହିଁ । ’ମୋହବତ କି ଦୁକାନ’ ଏବଂ ’ପନୋତି’ ଭଳି ଶବ୍ଦ ବ୍ୟବହାର କରି ବିଜେପି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ରାହୁଲଙ୍କ ପାଇଁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି । ବିଶ୍ବକପରେ ଭାରତ ପରାଜୟକୁ ନେଇ ଆକ୍ଷେପ କରି ପନୌତି ପାଇଁ ପରାଜୟ ହୋଇଛି ବୋଲି କହିଥିଲେ ରାହୁଲ । ଯାହାକି ଗ୍ରହଣୀୟ ହୋଇନଥିବା ଚର୍ଚ୍ଚା ହେଉଛି । ବ୍ୟକ୍ତିଗତଭାବେ ଆକ୍ଷେପ କରିବାକୁ ସହଜରେ ଗ୍ରହଣୀୟ ହୋଇନଥିବା କୁହାଯାଉଛି । କାମ ଦେଲାନି କଂଗ୍ରେସର ଜାତି ଗଣନା କାର୍ଡ । କୁହାଯାଉଥିଲା କି, ଏହା କଂଗ୍ରେସ ପାଇଁ ଏକ ବଡ଼ ପ୍ଲସ ପଏଣ୍ଟ ହେବ ମାତ୍ର ଏହା ଫଳପ୍ରଦ ହୋଇନଥିଲା ।