ପୋଷ୍ଟରବୟ ପ୍ରଭାବହୀନ, କାମ ଦେଉନି ଚାଣକ୍ୟ ଚାତୁର୍ଯ୍ୟ ?

1 min read

ନୂଆଦିଲ୍ଲୀ: ଧୀରେ ଧୀରେ ଫିକା ପଡ଼ୁଛି ଚତୁର ଚାଣକ୍ୟଙ୍କ ଚାଲ୍‌ । ଆଉ ବେଶୀ କାମ ଦେଉନି ମୋଦିଙ୍କ ମାଷ୍ଟ୍ରରଷ୍ଟ୍ରୋକ୍ । ନରେନ୍ଦ୍ର-ଅମିତଙ୍କ ଯୁଗଳବନ୍ଦୀର ଯାଦୁ ଧୀରେ ଧୀରେ ପ୍ରଭାବ ହରାଉଛି । ଲୋକପ୍ରିୟତାର କଷଟିପଥରରେ ଆହ୍ୱାନର ସମ୍ମୁଖୀନ ହେଉଥିବା ବିଜେପି ପୋଷ୍ଟରବୟମାନଙ୍କର ଯାଦୁଗରୀ ସ୍ପର୍ଶ ଚମକ ହରାଉଛି  । ଏକଥା ଆମେ କହୁନୁ, କହୁଛି ବିଜେପିର ରାଜନୈତିକ ଟ୍ରାକ୍‌ ରେକର୍ଡକୁ ନେଇ ସର୍ଭେ କରିଥିବା ଇଣ୍ଡିଆ ଟୁଡେର ଡିଆଇୟୁ ସଂସ୍ଥା ।

ଡିସେମ୍ବର ୨୦୧୭ ଯାଏ ବଢ଼ି ଚାଲିଥିବା ବିଜେପିର ପାରଦ ପରେ କ୍ରମଶଃ କମି କମି ଚାଲିଛି । ସେଯାଏ ଦେଶର ୭୧ ପ୍ରତିଶତ ଅଞ୍ଚଳରେ ସତ୍ତା ଦଖଲ କରିଥିବା ବିଜେପି ନଭେମ୍ବର ୨୦୧୯ ସୁଦ୍ଧା ୪୦ ପ୍ରତିଶତକୁ ଖସିଆସିଛି । ବୋଧହୁଏ କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏହାଠୁ ବଡ଼ କ୍ଷତି ଆଉ କିଛି ନୁହେଁ । ୨୦୧୯ରେ ଏକାକୀ ୩୦୩ ଆସନ ପାଇ ମ୍ୟାଜିକ ନମ୍ବରଠାରୁ ଢେର ଅଧିକ ସିଟ୍‌ ଦଖଲ କରିଥିବା ବିଜେପି ପାଇଁ ଏହାଠୁ ବଡ଼ ସେଟ୍‌ବ୍ୟାକ୍‌ ଆଉ କଣ ହୋଇପାରେ ?

ଦୁଇ ବର୍ଷ ଭିତରେ ବଦଳିଚାଲିଛି ବିଜେପିର ରାଜନୈତିକ ମ୍ୟାପ୍‌ର ରୂପରେଖ । ୨ବର୍ଷ ତଳେ ପାଖାପାଖି ତିନି ପା’ ଭାଗ ଗେରୁଆ ଦିଶୁଥିବା ଭାରତର ରାଜନୈତିକ ମାନଚିତ୍ର ପୁଣି ଭିନ୍ନ ଅବତାର ନେଇଛି  ।

BJP Downfall
Image courtesy India Today

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନାଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଘୋଷଣା ହେବା ପରେ ତୀବ୍ର ଗତିରେ ଆଗକୁ ବଢ଼ିଥିଲା ବିଜେପି । ସେହି ବର୍ଷ କେନ୍ଦ୍ରରେ ସରକାର ଗଢ଼ିବା ସହ ଆଗକୁ କିଛି ରାଜ୍ୟରେ ହାତେଇଥିଲା କ୍ଷମତା । ଏଥିସହ ବର୍ଷ ୨୦୧୭ ସୁଦ୍ଧା ଭାରତର ୭୧ପ୍ରତିଶତ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରି ସାରିଥିଲା ବିଜେପି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଚତୁର ରଣନୀତି ଯୋଗୁ ସମ୍ଭବ ହୋଇପାରିଥିବା କହିଥିଲେ ରାଜନୀତି ବିଶେଷଜ୍ଞ । କିନ୍ତୁ ଡିସେମ୍ବର ୨୦୧୭ ପରେ ଆରମ୍ଭ ହୋଇଥିଲା ବିଜେପିର ନିମ୍ନମୁଖୀ ଗତି । ୩୧ ପ୍ରତିଶତ ଅଞ୍ଚଳରେ କ୍ଷମତା ହରାଇ ଏବେ ୪୦ ପ୍ରତିଶତ ଭାଗରେ ପହଞ୍ଚିଛି ବିଜେପି ।

ଇଣ୍ଡିଆ ଟୁଡେର ଡିଆଇୟୁ ରିପୋର୍ଟ ଅନୁସାରେ ଏ ଭିତରେ କମି କମି ଚାଲିଛି ମୋଦି-ଶାହଙ୍କ ଯାଦୁ । ଯଦି ସଫଳତାର ଶ୍ରେୟ ତାଙ୍କ ପାଖକୁ ଯାଉଥିଲା ତେବେ ବିଫଳତା ପାଇଁ ବି ଉଭୟଙ୍କୁ ଉତ୍ତରଦାୟୀ କରିଛନ୍ତି ରାଜନୀତି ବିଜ୍ଞାନୀ । ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶରୁ କ୍ଷମତା ହରାଇବା ପରେ ମହାରାଷ୍ଟ୍ରରେ ସରକାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ନିର୍ବାଚନ ପୂର୍ବବର୍ତ୍ତୀ ବୁଝାମଣାରୁ ଓହରି ଶିବସେନା-ବିଜେପି ଅଲଗା ହେବା ପରେ ନାଟକୀୟ ଘଟଣା କ୍ରମେ ମାତ୍ର ୮୦ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଫଡନବିସ୍ । ଏନସିପି, ଶିବସେନା ଓ କଂଗ୍ରେସର ମିଳିତ ସରକାର ଗଠନ ପାଇଁ ପଥ ହୋଇଯାଇଛି ପରିଷ୍କାର । ପୂର୍ଣ୍ଣ ବହୁମତରେ ବିଜେପି ସରକାର

୧. ଅରୁଣାଚଳପ୍ରଦେଶ ୨.ଆସାମ ୩. ଗୋଆ ୪. ଗୁଜୁରାଟ ୫.ହିମାଚଳପ୍ରଦେଶ ୬. ଝାଡ଼ଖଣ୍ଡ ୭. କର୍ଣ୍ଣାଟକ ୮. ତ୍ରିପୁରା ୯. ଉତ୍ତରାଖଣ୍ଡ ୧୦. ଉତ୍ତରପ୍ରଦେଶ ୧୧. ମଣିପୁର

ସଂଖ୍ୟା ନଥାଇ ବି ସରକାରରେ ବିଜେପି
୧. ବିହାର: ୨୪୩ ବିଧାନସଭା ଆସନରୁ ମାତ୍ର ୫୪ ସିଟ୍‌ ପାଇଛି ବିଜେପି
୨.ହରିୟାଣା: ୯୦ ବିଧାନସଭା ସିଟ୍‌ରୁ ବିଜେପି ପାଇଛି ୪୦ ଆସନ
୩. ନାଗାଲାଣ୍ଡ: ୪୦ ବିଧାନସଭା ସିଟ୍‌ରୁ ବିଜେପି ହାତେଇଛି ୧୨
୪. ମେଘାଳୟ: ୬୦ ବିଧାନସଭା ଆସନରୁ ବିଜେପି ପାଖରେ ମାତ୍ର ୨
୫. ମିଜୋରାମ: ୪୦ ବିଧାନସଭା ଆସନରୁ ବିଜେପି ହାତରେ ଗୋଟିଏ ଆସନ

ତେବେ ବର୍ଷ ଶେଷକୁ ରହିଛି ରହିଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଆସନ ବୁଝାମଣା ହୋଇନପାରିବାରୁ ମତଦାନ ପୂର୍ବରୁ କିଛି ସହଯୋଗୀ ବି ହାତ ଛାଡ଼ିଲେଣି  । ତେବେ ସେଠି ଶାସନରେ ଥିବା ବିଜେପି କ୍ଷମତା ବଜାୟ ରଖିବାରେ ସମର୍ଥ ହେଉଛି ନା ନାହିଁ ତା ଉପରେ ସମସ୍ତଙ୍କ ନଜର ।

Leave a Reply