ମରୁଭୂମି ପାଲଟିବ କି ଚିରସ୍ରୋତା ମହାନଦୀ । ଛତିଶଗଡ଼ ଦାଦାଗିରି ଯୋଗୁଁ ଶଂକଟରେ ଓଡ଼ିଶାର ଜୀବନ ରେଖା । କମିବାରେ ଲାଗିଛି ହୀରାକୁଦର ଜଳସ୍ତର । ଜଳଭଣ୍ଡାରକୁ ଆସୁଛି ମାତ୍ର ୬୨୫ ଘନଫୁଟ ପାଣି । ପ୍ରମାଦ ଗଣିଲେଣି ନଈକୁଳିଆ ଗାଁ ଲୋକେ । ଭଲଭାବେ ଦେଖନ୍ତୁ । ଇଏ ହେଉଛି ହୀରାକୁଦ ଠାରୁ ମାତ୍ର ୧୦ କିଲୋମିଟର ଦୂରରୁ ମହାନଦୀର ଦୃଶ୍ୟ । ଯେଉଁଠି ଦିନେ ଅକାତ କାତ ପାଣି ଥିଲା ଆଜି ସେହି ସ୍ଥାନ ଲାଗୁଛି ଯେମିତି ମରୁଭୂମି । ଛତିଶଗଡ଼ର ମନମାନି ଯୋଗୁଁ ଆଜି ଶଂକଟରେ ଓଡ଼ିଶାର ଜୀବନ ରେଖା ଚିରସ୍ରୋତା ମହାନଦୀ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ଯ । ସବୁବେଳେ ଏକପାଖିଆ ନିଷ୍ପତ୍ତି ନେଉଛି ଛତିଶଗଡ । ବିନା ଅନୁମତିରେ ପାଣି ରୋକୁଛି କିନ୍ତୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠନ ହେଲା ମହାନଦୀ ଟ୍ରିବ୍ୟୁନାଲ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ନିର୍ଯାସ ବାହାରି ପାରିଲା ନାହିଁ । ଅନ୍ୟପଟେ ତ୍ରିବ୍ୟୁନାଲ ଦେଇଥିବା ଗାଇଡ ଲାଇନକୁ ଛତିଗଡ ମାନୁନାହିଁ । ଅଣ ମୌସୁମୀ ସମୟରେ ସମସ୍ତ ଵ୍ୟାରେଜ ର ସମସ୍ତ ଗେଟ୍ ବନ୍ଦ୍ କରିଦେଇଥିବାରୁ ଡିସେମ୍ବର ମାସରୁ ଜୁନ ମାସ ପର୍ଯ୍ୟନ୍ତ ଓଡ଼ିଶାକୁ ବୁନ୍ଦାଏ ପାଣି ମିଳୁନାହିଁ । ଚଳିତବର୍ଷର ସବୁ ରେକର୍ଡ ଭାଙ୍ଗି ମାତ୍ର ୬୨୫ ଘନଫୁଟ ପାଣି ପ୍ରବେଶ କରୁଛି । ଯାହାକୁ ନେଇ ଚିନ୍ତାରେ ପଡିଲେଣି ନଈକୂଳିଆବାସୀ । ବର୍ତ୍ତମାନ ୧୦ ହଜାର ଘନଫୁଟ ପାଣି ଆବଶ୍ୟକ ରହିଥିବା ବେଳେ ମାତ୍ର ୬୧୫ ଘନଫୁଟ ପାଣି ଆସୁଥିବାରୁ ବଢ଼ିଛି ଶଂକଟ । ତେଣୁ ଉଭୟ ରାଜ୍ୟ ଆପୋଷ ବୁଝାମଣା ନକରିବା ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି କହିଛନ୍ତି ବୁଦ୍ଧିଜୀବୀ । ତୁରନ୍ତ ସମସ୍ୟାରେ ସମାଧାନ ନହେଲେ ଆଗାମୀ ଦିନରେ ମହାନଦୀ ଏକ ବାଲିଚର ପାଲଟିବା ଆଶଂକା ସୃଷ୍ଟି ହୋଇଛି ।

