ଶୁଖିଯାଉଛି ଓଡ଼ିଶାର ଜୀବନରେଖା, ଛତିଶଗଡ଼ର ଦାଦାଗିରି ପାଇଁ କମୁଛି ମହାନଦୀର ଜଳସ୍ତର

Mahanadi

ସୁବର୍ଣ୍ଣପୁରର: ଶୁଖିଯାଉଛି ଓଡିଶାର ଜୀବନରେଖା । ଛତିଶଗଡ଼ର ଦାଦାଗିରି ପାଇଁ କମୁଛି ମହାନଦୀର ଜଳସ୍ତର । ଉପର ମୁଣ୍ଡରେ ବେଆଇନ ବ୍ୟାରେଜ୍ ଯୋଗୁଁ ମହାନଦୀର ଜଳସ୍ତର ୪ ଫୁଟ କମିଯାଇଛି । ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ସୁବର୍ଣ୍ଣପୁରର ଧୀବର ସମ୍ପ୍ରଦାୟ । ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ଶୁଖିଲା ପଡିଲାଣି ଓଡ଼ିଶାର ଲାଇଫ୍ ଲାଇନ କୁହାଯାଉଥିବା ମହାନାଦୀ । ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ବ୍ୟାରେଜ୍ ନିର୍ମାଣ ଯୋଗୁଁ ଜଳସ୍ତର କମିବାରେ ଲାଗଛି ।

ମାର୍ଚ୍ଚ ମାସରେ ମହାନଦୀରେ ଜଳସ୍ତର ୧୦ରୁ ୧୫ ଫୁଟ୍ ରହୁଥିବା ବେଳେ ଏବେ ୪ ଫୁଟ୍ କମିଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀର ଅଧିକାଂଶ ସ୍ଥାନରେ ଖାଲି ବାଲି ଆଉ ବାଲି ଦେଖିବାକୁ ମିଳିଛି । ଯାହା ଫଳରେ ଧୀବର ସମ୍ପ୍ରଦାୟର ଲୋକଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି  ।

ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ୬୦ ପ୍ରତିଶତ ଲୋକ ମହାନଦୀ ଉପରେ ନିର୍ଭର କରନ୍ତି । କିଏ ମାଛ ଧରି ଜୀବିକା ନିର୍ବାହ କରନ୍ତି ତ କିଏ ଡଙ୍ଗା ଚଳାଇ ପରିବାର ଚଳାନ୍ତି । ହେଲେ ଛତିଶଗଡ଼ର ବେଆଇନ ନିର୍ମାଣ ଯୋଗୁଁ ବର୍ଷକୁ ବର୍ଷ ଜଳସ୍ତର କମିବାରେ ଲାଗିଛି । ଫଳରେ ବର୍ଷ ଆରମ୍ଭରୁ ସ୍ଥାନୀୟ ଲୋକଙ୍କ ମୁଣ୍ଡରେ ପଡିଲାଣି ଚଡ଼କ । ବିଗତ କିଛି ବର୍ଷ ହେଲା ସରକାରଙ୍କ ମହାନଦୀ ବଞ୍ଚାଅ ଆନ୍ଦୋଳନ ଜାରି ରହିଛି । ଏପଟେ ମହାନଦୀ ଜଳ ବିବାଦ ପ୍ରସଙ୍ଗ କେନ୍ଦ୍ର ଟ୍ରିବ୍ୟୁନାଲରେ ବିଚାରଧୀନ ଥିବା ବେଳେ ମହାନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଲୋକେ ଏବେ ଚିନ୍ତାରେ ।

Leave a Reply